Unknown

 

 

 

 

 

 

 

 

 

ଗୁମସର ଇତିହାସ

ଶ୍ରୀ ତାରିଣୀଚରଣ ରଥ

 

 

 

 

 

 

ଉତ୍ସର୍ଗ ପତ୍ର

 

ଏହି ପୁସ୍ତିକାଟି

ଅଶେଷଗୁଣାଳଙ୍କୃତା, ଗୁମସର

ଭଞ୍ଜରାଜବଂଶୋଦ୍ଭବା, ପାଲୁରୁ-ଅଧିଶ୍ୱରୀ,

ତରଳା ପଟ୍ଟମହିଷୀ ଶ୍ରୀମତୀ ଶ୍ରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ରମାଳା

ଦେବୀଙ୍କ କରକମଳରେ ଲେଖକର

ପରମ ଭକ୍ତିର ଚିହ୍ନସ୍ୱରୂପ

ଅର୍ପିତ ହେଲା ।

•••

 

ଭୂମିକା

କେତେଜଣ ବନ୍ଧୁଙ୍କ ଅନୁରୋଧରେ ମୁଁ ଗୁମସର ଇତିହାସ ସଙ୍କଳନରେ ପ୍ରବୃତ୍ତ ହୋଇଥିଲି । ୧୯୦୭ ଖ୍ରୀଷ୍ଟାବ୍ଦରେ ସେହି ଅଞ୍ଚଳକୁ ସରକରୀ କାର୍ଯ୍ୟରେ ସ୍ଥାନାନ୍ତରିତ ହୋଇ ତକ୍ରତ୍ୟ ଅନେକ ପ୍ରଧାନ ପ୍ରଧାନ ସ୍ଥଳମାନ ପରିଦର୍ଶନ କରି ବିଭିନ୍ନ ବ୍ୟକ୍ତିଙ୍କ ଠାରୁ ଇତିହାସ ବିଷୟକ ଅନେକ ସମ୍ବାଦ ସଂଗ୍ରହ କରିବା ସୁବିଧା ପାଇଥିଲି ।ଏହି କ୍ଷୁଦ୍ର ପୁସ୍ତକ ସଙ୍କଳନରେ ମୁଁ ଦେଶୀୟ ପ୍ରଚଳିତ ରାଜବଂଶାବଳୀ (ତାଳପତ୍ର ପୁସ୍ତକ ଲିଖିତ), Maltby’s History of Ganjam District ଓ ଅନ୍ୟାନ୍ୟ କେତେକ ଗ୍ରନ୍ଥରୁ ସାହଯ୍ୟ ପାଇଅଛି । ପୁସ୍ତକର ଅଧିକଂଶ ଭାଗ ପୂର୍ବବର୍ତ୍ତୀ ‘ଉତ୍କଳ ସାହିତ୍ୟ’ ର ବିଭିନ୍ନ ସଂଖ୍ୟାମାନଙ୍କରେ ପ୍ରକାଶିତ ହୋଇଅଛି । କିନ୍ତୁ ସ୍ଥାନେ ସ୍ଥାନେ ଭ୍ରମ ଦେଖା ଯିବାରୁ ସଂଶୋଧନ କରା ଯାଇଅଛି । ଯାହହେଉ ଏଥିରେ ବିଷୟଗତ ପ୍ରଭୃତି ଦୋଷ ସ୍ଥାନେ ସ୍ଥାନେ ରହି ଯାଇଥିବାର ସମ୍ଭାବନା । ଆଶା କରେ, ସହୃଦୟ ପାଠକମାନେ ସେ ସମସ୍ତ ମାର୍ଜନା କରି ଭ୍ରମ ସଂଶୋଧନ କରିବାରେ କୁଣ୍ଠିତ ହେବେନାହିଁ । ଏହି ପୁସ୍ତିକା ସଂଙ୍କଳନ ଓ ପ୍ରକାଶ କରିବାରେ ମୋହର ପରମବନ୍ଧୁ ସୋଡ଼କ ନିବାସୀ ଶ୍ରୀଯୁକ୍ତ ଲକ୍ଷ୍ମୀଶରଣ ଭଞ୍ଜ ବିଶେଷ ସାହାଯ୍ୟ କରିଥିବା ଯୋଗୁଁ ମୁଁ ତାଙ୍କଠାରେ ଅନେକ ଦୂର ପର୍ଯ୍ୟନ୍ତ ଋଣୀ ଅଟେ ।

ପରିଶେଷରେ ଏହି ପୁସ୍ତିକା ମୁଦ୍ରଣର ସମ୍ପୂର୍ଣ୍ଣ ବ୍ୟୟ ଭାର ତରଳା ପଟ୍ଟମହିଷୀ ଶ୍ରୀମତୀ ଶ୍ରୀଶ୍ରୀ ପୂର୍ଣ୍ଣଚନ୍ଦ୍ରମାଳା ଦେବୀ ଅତ୍ୟନ୍ତ ଆନନ୍ଦରେ ବହନ କରିଥିବା ଯୋଗୁଁ ମୁଁ ତାହାଙ୍କଠାରେ ଚିରକୃତଜ୍ଞତା ପାଶରେ ଆବଦ୍ଧ ।

ବ୍ରହ୍ମପୁର, ୧/୧୦/୧୯୧୨

ଶ୍ରୀ ତାରିଣୀଚରଣ ରଥ

•••

 

ସୂଚୀପତ୍ର

 

୧.

ପ୍ରଥମ ଅଧ୍ୟାୟ

୨.

ଦ୍ୱିତୀୟ ଅଧ୍ୟାୟ

୩.

ତୃତୀୟ ଅଧ୍ୟାୟ

୪.

ଚତୁର୍ଥ ଅଧ୍ୟାୟ

୫.

ପଞ୍ଚମ ଅଧ୍ୟାୟ

୬.

ଷଷ୍ଠ ଅଧ୍ୟାୟ

୭.

ସପ୍ତମ ଅଧ୍ୟାୟ

୮.

ଅଷ୍ଟମ ଅଧ୍ୟାୟ

୯.

ନବମ ଅଧ୍ୟାୟ

•••

 

ପ୍ରଥମ ଅଧ୍ୟାୟ

 

ଯେଉଁ ପ୍ରଦେଶ ସମଗ୍ର ଗଞ୍ଜାମ ମଧ୍ୟରେ କି ଭୂମିର ଉର୍ବରତା, କି ପ୍ରାକୃତିକ ଦୃଶ୍ୟର କମନୀୟତା, କି ଅଧିବାସିମାନଙ୍କର ଶିଳ୍ପନୈପୁଣ୍ୟ ପ୍ରଭୃତି ଅନେକ ଗୁଣରେ ଅଗ୍ରଗଣ୍ୟ, ଯାହାର ରାଜବଂଶରେ ବୀର, କବି, ଋଷି ପ୍ରଭୃତି ନାନା ଶ୍ରେଣୀର ମହାପୁରୁଷମାନେ ଜନ୍ମଗ୍ରହଣ କରି ମାତୃଭୂମିକୁ ଧନ୍ୟ କରି ଯାଇଅଛନ୍ତି, ସେହି ଖ୍ୟାତନାମା ପୁରାତନ ଗୁମସର ରାଜ୍ୟର ଇତିହାସ ଅତ୍ୟନ୍ତ ବିଚିତ୍ର ଓ ଶିକ୍ଷାପ୍ରଦ ଅଟେ । ପ୍ରାଚୀନ କାଳରେ ଏହି ପ୍ରଦେଶ ନିକଟବର୍ତ୍ତୀ ବୌଦ ରାଜ୍ୟର ଅନ୍ତର୍ଗତ ଥିଲା । ପୂର୍ବକାଳରେ ଦେଶଟି ‘ବାରଗଡ଼ିଆ’ଙ୍କ ଦ୍ୱାରା ଶାସିତ ହେଉଥିଲା; ଅର୍ଥାତ୍ ତହିଁରେ ଅନେକ ଅଧ୍ୟକ୍ଷ ପୃଥକ୍ ପୃଥକ୍ ଖଣ୍ଡଭୂମି ନଜ ନିଜର କରଗତ କରି ପରିପାଳନ କରୁଥିଲେ ।

 

ବୌଦ ରାଜ୍ୟର ଅନ୍ତର୍ଗତ ଥିବା ସମୟରେ ଏହା ‘ଖଞ୍ଜିଲି’ ରାଜ୍ୟ ନାମରେ ପରିଚିତ ଥିଲା । ବୋଧହୁଏ ଉକ୍ତ ପ୍ରଦେଶରେ ଅତି ଅସଭ୍ୟ ଓ ବର୍ବର ଆଦିମ ଜାତିମାନେ ବାସ କରୁଥିବାରୁ ଏପରି ବୋଲା ଯାଉଥିଲା । ବୌଦରେ କାଶ୍ୟପଗୋତ୍ରସମ୍ଭୂତ ଦୀନବନ୍ଧୁ ନନ୍ଦ ନାମକ ଜଣେ ବ୍ରାହ୍ମଣ ରାଜା ଥିଲେ । ତାହାଙ୍କର କେହି ସନ୍ତାନ ନ ଥିବା ଯୋଗୁଁ ସେ ସୂର୍ଯ୍ୟବଂଶୋଦ୍ଭବ ଦୈତ୍ୟାରି ଭଞ୍ଜ ନାମକ ଜଣେ ରାଜଭ୍ରାତାଙ୍କ କୁମରଦ୍ୱୟଙ୍କୁ ନିଜ ପୁତ୍ରରୂପେ ଗ୍ରହଣ କରି ପ୍ରତିପାଳନ କଲେ। ସେମାନଙ୍କ ମଧ୍ୟରୁ ଜ୍ୟେଷ୍ଠର ନାମ ରଘୁନାଥ ଭଞ୍ଜ ଓ କିନିଷ୍ଠର ନାମ ବନମାଳୀ ଭଞ୍ଜ ଥିଲା । ଏମାନେ କିଏ ଓ କେଉଁଠାରୁ ଆସିଥିଲେ ତାହା ଜାଣିବାକୁ ହେବ । ପୂର୍ବକଥିତ ଦୈତ୍ୟାରି ଭଞ୍ଜ କେନ୍ଦୁଝର (ପୂର୍ବକାଳରେ ମୟୂରଭଞ୍ଜ ରାଜ୍ୟର ଅନ୍ତର୍ଗତ) ରାଜ୍ୟରୁ ତକ୍ରତ୍ୟ ରାଜାଙ୍କ ପ୍ରତି ବିମୁଖ ହୋଇ ବାହାରି ଆସିଥିବାର କଥିତ ଅଛି । ଉକ୍ତ ଭଞ୍ଜ ପରିବାରର ଉତ୍ପତ୍ତି ବିଷୟରେ ଏକ ଅଦ୍ଭୁତ କିମ୍ବଦନ୍ତୀ ଅଛି । ତ୍ରେତାଯୁଗର ଶେଷଭାଗରେ ଦିନେ ବିଶିଷ୍ଠ ମହର୍ଷି ବନରେ ବିଚରଣ କରୁ କରୁ ମୃଗମୃଗୀଯୁଗଳ କାମାସକ୍ତ ହୋଇ ଅଙ୍ଗସଙ୍ଗ କରିବାର ତାହାଙ୍କ ଚକ୍ଷୁରେ ପଡ଼ିଲା । ତତ୍‌କ୍ଷଣାତ୍ ମହର୍ଷି କ୍ରୂର ମଦନବାଣରେ ବିଦ୍ଧ ହେବାରୁ ତାହାଙ୍କର ଅନାୟତ୍ତରେ ରେତ ସ୍ଖଳିତ ହୋଇଗଲା । ସେ ସେହିକ୍ଷଣି ନିଜର କୌପୀନ ଖଣ୍ଡିକ ନେଇ ନିକଟବର୍ତ୍ତୀ ପୃଷ୍କରତୀର୍ଥରେ ଧୌତ କରିବାରୁ ରେତ ଜଳ ମଧ୍ୟରେ ଦୁଇ ଗୋଟି ବିନ୍ଦୁ ଆକାର ଧାରଣ କରି ଭାସିଗଲା । ଏପରି ଅବସ୍ଥାରେ ଏକ ତୃଷାର୍ତ୍ତ ମୟୂରୀ ସେହି ସ୍ଥାନରେ ଜଳପାନ କରୁ କରୁ ଉକ୍ତ ବିନ୍ଦୁଦ୍ୱୟ ତାହାର ଗର୍ଭ ମଧ୍ୟରେ ପ୍ରବେଶ କଲା । ଅଚିରେ ମୟୂରୀର ଗର୍ଭସଞ୍ଚାର ହେଲା ଏବଂ କାଳକ୍ରମେ ଦୁଇ ଗୋଟି ଅଣ୍ଡ ଜନ୍ମଗ୍ରହଣ କଲେ । ବେଳକୁବେଳ ଅଣ୍ଡଦ୍ୱୟ ବୃଦ୍ଧିପ୍ରାପ୍ତ ହୋଇ ପ୍ରକାଣ୍ଡ ଆକାର ଧାରଣ କଲେ । ଏହା ଦର୍ଶନରେ ମୟୂରୀ ତ୍ରସ୍ତ ହୋଇ ଅଣ୍ଡଦ୍ୱୟ ତ୍ୟାଗକରି ପଳାୟନ କଲା । ଏଣେ ମହର୍ଷି ସମସ୍ତ ବୃତ୍ତାନ୍ତ ଜାଣି ପାରି ସ୍ୱବୀର୍ଯ୍ୟ ସମ୍ଭୂତ ଅଣ୍ଡଦ୍ୱୟ ରକ୍ଷା କରିବା କର୍ତ୍ତବ୍ୟ ମନେ କରି ତାହା ନିଜ ଆଶ୍ରମକୁ ଆଣି ପାଳନ କଲେ । ମହର୍ଷି ଅଣ୍ଡଦ୍ୱୟକୁ ପ୍ରତିଦିନ ସୂର୍ଯ୍ୟତାପରେ ରଖି ଦେଉଥାନ୍ତି । କିଛିକାଳ ପରେ ଗୋଟିଏ ଅଣ୍ଡରୁ ଏକ ସୁନ୍ଦର ବାଳକ ଜନ୍ମଗ୍ରହଣ କଲା । ଏହି ଅଣ୍ଡଜ ସନ୍ତାନକୁ ମହର୍ଷି ମଦନ ରାଣା ବୋଲି ନାମ ଦେଲେ । ମଦନ ରାଣା ଅତି ରୂପବନ୍ତ ଥିଲେ । ଅନ୍ୟ ଅଣ୍ଡଟିରୁ କିଛି ଜାତ ନ ହେବାରୁ ମହର୍ଷି ଭାବିତ ହୋଇ ତାହା ଏକ ଦଣ୍ଡଦ୍ୱାରା ଭଗ୍ନ କରିବାକୁ ଲାଗିଲେ । ସେ ଦେଖିଲେ ଯେ ତହିଁରୁ ମଧ୍ୟ ଏକ ବାଳକ ଜାତ ହେଲା । ମହର୍ଷି ଶ୍ରଦ୍ଧାପୂର୍ବକ ଏହି ବାଳକକୁ ମୋଦକ ଭଞ୍ଜ ନାମ ଦେଇଥିଲେ । ଅଣ୍ଡ ସୂର୍ଯ୍ୟତାପରେ ପକ୍ୱ ହୋଇଥିବା ଯୋଗୁଁ ଏମାନେ ସୂର୍ଯ୍ୟବଂଶୀୟ ବୋଲି ପରିଚିତ ହେଲେ । ଅଣ୍ଡର ଭଞ୍ଜନଦ୍ୱାରା ଜନ୍ମିଥିବାରୁ ଦ୍ୱିତୀୟ ବାଳକଟି ଭଞ୍ଜ ନାମରେ ଅଭିହିତ ହେଲେ । ବାଳକଦ୍ୱୟଙ୍କୁ ମହର୍ଷି ଉତ୍ତମରୂପେ ପାଳନ କରି ଶସ୍ତ୍ର ଶାସ୍ତ୍ର ସକଳ ବିଦ୍ୟାରେ ନିପୁଣ କରାଇଥିଲେ । ଭ୍ରାତୃଦ୍ୱୟ କାଳକ୍ରମେ ମହର୍ଷିଙ୍କ ଆଶ୍ରମ ପରିତ୍ୟାଗ କରି ନିଜ ବାହୁବଳରେ ଚିତ୍ତୋର ଓ ତନ୍ନିକଟବର୍ତ୍ତୀ ଦେଶମାନଙ୍କରେ ଆଧିପତ୍ୟ ସ୍ଥାପନ କରିଥିବାର କଥିତ ଅଛି । କିଛି କାଳ ପରେ କନିଷ୍ଠ ଭ୍ରାତା ମୋଦକ ଭଞ୍ଜ ଉକ୍ତ ପ୍ରଦେଶ ତ୍ୟାଗକରି ସୁବର୍ଣ୍ଣରେଖା ନଦୀତୀରସ୍ଥ ସୁବିଶାଳ ଭୂଖଣ୍ଡର ଅଧୀଶ୍ୱର ହୋଇଥିଲେ । ଏହି ପ୍ରଦେଶ ‘ଭଞ୍ଜଭୂମି’ (ମୟୂରଭଞ୍ଜ) ନାମରେ ପରିଚିତ ହେଲା । ମୋଦକ ଭଞ୍ଜ ତତ୍‌କାଳୀନ ସମ୍ବଲପୁର ରାଜଜେମାଙ୍କ ପାଣିଗ୍ରହଣ କରିଥିଲେ ବୋଲି କଥିତ ଅଛି । କ୍ରମଶଃ ଏହି ପ୍ରଦେଶରୁ କେତେକ ଅଂଶ ବିଚ୍ଛିନ୍ନ ହୋଇ ‘କେନ୍ଦୁଝର’ ନାମରେ ଅଭିହିତ ହେଲା ଏବଂ ତହିଁରେ ଜଣେ ରାଜଭ୍ରାତା ରାଜତ୍ୱ କରିବାକୁ ଲାଗିଲେ-

 

ରଘୁନାଥ ଓ ବନମାଳି ଉଭୟଙ୍କୁ ପୁତ୍ରରୂପେ ଭ୍ରହଣ କରିବା ପରେ ବୌଦର ବ୍ରାହ୍ମଣରାଜାଙ୍କ ଔରସରୁ ବିନାୟକ ନନ୍ଦ ନାମକ ଏକ ସନ୍ତାନ ଜନ୍ମଗ୍ରହଣ କରିଥିଲେ । ରାଜା ଏ ତିନି ଜଣଙ୍କୁ ସମଭାବରେ ପାଳନ କରୁଥାନ୍ତି । ଦିନେ ତିନି ଜଣ ଭ୍ରାତା ଏକତ୍ର ହୋଇ ହସ୍ତୀ ଆରୋହଣ ପୂର୍ବକ ପାରିଧି ନିମନ୍ତେ ଅରଣ୍ୟ ମଧ୍ୟରେ ଯାଇ ଉପସ୍ଥିତ ହେଲେ । ଭଞ୍ଜ ଭ୍ରାତୃଦ୍ୱୟ କୁମନ୍ତ୍ରଣାର ବଶବର୍ତ୍ତୀ ହୋଇ ରାଜାଙ୍କର ନିଜ ପୁତ୍ର ଜୀବିତ ଥିଲେ କାଳେ ସେମାନଙ୍କ ରାଜ୍ୟଲାଭାଶା ବୃଥା ହେବ ବୋଲି ବିବେଚନା କରି ଘୋର ବନ ମଧ୍ୟରେ ତାହାଙ୍କୁ ହସ୍ତୀ ଉପରୁ ପକାଇ ଦେଇ ଦଳନଦ୍ୱାରା ବଧ କଲେ । ସେ ସମୟରେ ଉକ୍ତ କୁମାର ନିତାନ୍ତ ଅଳ୍ପବୟସ୍କ ଥିଲେ । ଫେରି ଯାଇ ସେମାନେ ରାଜାଙ୍କ ସମ୍ମୁଖରେ ଆକସ୍ମିକ ଘଟନାଦ୍ୱାରା ପୁତ୍ରଙ୍କର ମରଣ ଘଟିଲା ବୋଲି ଜଣାଇଲେ । ଏହି ଦୁଃସମ୍ବାଦ ଶ୍ରବଣ ମାତ୍ରକେ ରାଜା ମୂର୍ଚ୍ଛିତ ହେଲେ । କିଛିକ୍ଷଣ ଉତ୍ତାରେ ଚେତନା ଲଭି ଗଭୀର ଶୋକସନ୍ତପ୍ତ ହୃଦୟରେ ଭଞ୍ଜ ଭ୍ରାତୃଦ୍ୱୟଙ୍କୁ ସମ୍ବୋଧନ କରି ରାଜା କହିଲେ, ‘‘ମୋହର ପ୍ରିୟତମ ସନ୍ତାନର ଆକସ୍ମିକ ମରଣବୃତ୍ତାନ୍ତ ସମ୍ପୂର୍ଣ୍ଣ ସନ୍ଦେହଜନକ । ଦୈବ ଘଟନା ପ୍ରତି ମୋହର କୌଣସି କଥା କହିବାକୁ ନାହିଁ । ମାତ୍ର ଯଦି ତୁମ୍ଭମାନଙ୍କର କୌଣସିପ୍ରକାର କୁମନ୍ତ୍ରଣାରୁ ତାହାର ବହୁମୂଲ୍ୟ ପ୍ରାଣ ନଷ୍ଟ ହୋଇଥିବ, ତେବେ ତୁମ୍ଭେମାନେ ଘୋର ପାପାଚାରଣ କରିଅଛ । କିନ୍ତୁ ମୁଁ ତୁମ୍ଭମାନଙ୍କୁ ସୁଦ୍ଧା ପୁତ୍ରସ୍ୱରୂପ ଗ୍ରହଣ କରିଅଛି । ଏଣୁ ତୁମ୍ଭମାନଙ୍କଠାରେ ମୁଁ କୌଣସିପ୍ରକାର ଅଧର୍ମାଚରଣ କରି ନ ପାରେ । ଏତିକି ମାତ୍ର କହେ ଯେ ତୁମ୍ଭମାନଙ୍କର ଭାବୀ ବଂଶଧରମାନେ ସର୍ବଦା ପରସ୍ପର ବୈରଭାବରେ କାଳଯାପନ କରି ଓ ବିଷମ ରୋଗାକ୍ରାନ୍ତ ହୋଇ ନଷ୍ଟ ହେବେ ।’’ କାଳକ୍ରମେ ବ୍ରାହ୍ମଣ ରାଜା ଇହଲୀଳା ତ୍ୟାଗ କଲେ ଏବଂ ଜ୍ୟେଷ୍ଠ ପୁତ୍ର ରଘୁନାଥ ଭଞ୍ଜ ସିଂହାସନରୋହଣ କରି ରାଜ୍ୟ ପରିପାଳନ କରିବାକୁ ଲାଗିଲେ । ସେ ନିଜ ଭ୍ରାତା ବନମାଳୀ ଭଞ୍ଜଙ୍କୁ ପାର୍ଶ୍ୱରେ ରଖି ତାହାଙ୍କୁ ରାଜ୍ୟର ଅନେକ ଭାର ସମର୍ପଣ କରିଥାନ୍ତି । ରଘୁନାଥ ଭଞ୍ଜଙ୍କ ରାଜତ୍ୱ ସମୟରେ ଖିଞ୍ଜାଲି (ବର୍ତ୍ତମାନ ଗୁମସର) ପ୍ରଦେଶର ଅଧ୍ୟକ୍ଷମାନଙ୍କ ମଧ୍ୟରେ ବିବାଦ ଓ କଳହର ସୂତ୍ରପାତ ହେଲା ଏବଂ ଫଳତଃ କେହି କେହି ରାଜାଙ୍କୁ ଅବମାନନା କଲେ । ରାଜା କ୍ରୁଦ୍ଧ ହୋଇ ନିଜେ ସେଠାକୁ ଯାଇ ସମସ୍ତଙ୍କୁ ଆୟତ୍ତ କରିବା ନିମନ୍ତେ ଦୃଢ଼ ସଙ୍କଳ୍ପ କରି ଅବିଳମ୍ବେ ଦଳବଳ ସହ ଉକ୍ତ ପ୍ରଦେଶରେ ଯାଇ ଉପସ୍ଥିତ ହେଲେ । ପ୍ରଥମରେ ଚକାପାଦରେ ପ୍ରବେଶ କରି କ୍ରମଶଃ ସମସ୍ତ ଦୂର୍ବୃତ୍ତମାନଙ୍କୁ ସହଜରେ ପରାଜିତ ଓ କରଗତ କରି ଉଚିତ ଦଣ୍ଡ ପ୍ରଦାନ କଲେ । ଏହିପରି କିଛିକାଳ ମଧ୍ୟରେ ସେହି ପ୍ରଦେଶର ସମସ୍ତ ଗଡ଼ିଆମାନଙ୍କୁ ଆୟତ୍ତ କରି ସମ୍ପୂର୍ଣ୍ଣ ଦେଶ ନିଜ ଅଧୀନସ୍ଥ କଲେ । ସେ ଦେଖିଲେ ଯେ ସେହି ସମୟରେ କୌଣସିଠାରେ ବଡ଼ ଗ୍ରାମ ବା ପାଟଣା ନ ଥିଲା । କିନ୍ତୁ ସମସ୍ତ ପ୍ରଦେଶ କ୍ଷୁଦ୍ର କ୍ଷୁଦ୍ର ପଲ୍ଲିମାନଙ୍କରେ ପରିପୂର୍ଣ୍ଣ ଥିଲା । ଅଧିବାସିମାନେ କନ୍ଧ, ଗଣ୍ଡ, ପାଣ ପ୍ରଭୃତି ଅରଣ୍ୟଜୀବିମାନେ ଥିଲେ । ସେମାନେ କେବଳ ଅତି ସାମାନ୍ୟ ବନ୍ୟ ଶସ୍ୟର କୃଷି କରି ପରସ୍ପରର ଶସ୍ୟାଦି ସମୟ ସମୟରେ ଲୁଣ୍ଠନ କରି କାଳଯାପନ କରୁଥିଲା । ରଘୁନାଥ ଭଞ୍ଜ (୮୩୨ ଖ୍ରୀ) ସର୍ବ ଅଞ୍ଚଳକୁ ଯାଇ ଶାନ୍ତିସ୍ଥାପନର ଚେଷ୍ଟା କଲେ । ସେ ଏହିପରି ଭ୍ରମଣ କରୁ କରୁ ନେଟ୍ଟଙ୍ଗା ଗ୍ରାମଠାରେ ଯାଇ ଉପସ୍ଥିତ ହେଲେ । ପରେ ତାହାର କିୟଦ୍ଦୂରକୁ ଗମନ କରି ଗୋଟିଏ ଭଗ୍ନ ପୁରାତନ ଦୂର୍ଗ (ଗୁମା= କୁଡିଆ ବା ଗୃହ, ଗଡ଼) ଦେଖିଲେ । ତାହାର ଚତୁର୍ଦ୍ଦିଗରେ ଏକ ଜଳୀ (ସର) ମଧ୍ୟ ଥିଲା । ସେ ତାହା ଉପଯୁକ୍ତ ସ୍ଥାନ ମଣି ସେଠାରେ ଗୋଟିଏ ବୃହତ୍‌ ଦୁର୍ଗ ନିର୍ମାଣ କରାଇ ତହିଁରେ ବାସ କଲେ । ଉକ୍ତ ପୁରାତନ ଗୁମା ଓ ସର ଅବଲମ୍ବନରେ ତାହାର ନାମ ପୁରୁଣା ଗୁମସର ଗଡ଼ ବୋଲି ପ୍ରଦାନ କରି ସେଠାରେ ନିବାସ କଲେ । ସମଗ୍ର ଦେଶଟି ମଧ୍ୟ ତଦନୁକ୍ରମେ ଗୁମସର ରାଜ୍ୟ ନାମରେ ଖ୍ୟାତ ହେଲା । ଏଥିମଧ୍ୟରେ ବନମାଳୀ ଭଞ୍ଜ ନିଜ ରାଜଭ୍ରାତାଙ୍କ ଅନୁମତିକ୍ରମେ ବୌଦ ରାଜ୍ୟରେ ରହି ସେ ଅଞ୍ଚଳଟି ପରିପାଳନ କଲେ । ରଘୁନାଥ ଭଞ୍ଜ ନାନାସ୍ଥାନରେ କୂପ, ପୁଷ୍କରିଣୀ, ମନ୍ଦିର, ଉଦ୍ୟାନ ପ୍ରଭୃତି ଅନେକ ନିର୍ମାଣ କରାଇ ଅତ୍ୟନ୍ତ କୌଶଳରେ ବହୁକାଳଯାଏ ପ୍ରଜାପୁଞ୍ଜଙ୍କୁ ପାଳିଲେ । ଏହାଙ୍କ ପରେ କ୍ରମରେ ଯେଉଁମାନେ ରାଜା ହୋଇଥିଲେ, ସେମାନଙ୍କ ନିର୍ଘଣ୍ଟ ଦ୍ୱିତୀୟ ଅଧ୍ୟାୟରେ ଦିଆଗଲା । ପ୍ରତ୍ୟେକ ରାଜାଙ୍କର ରାଜ୍ୟଶାସନକାଳ ମଧ୍ୟ ସଙ୍ଗେ ସଙ୍ଗେ ପ୍ରଦତ୍ତ ହେଲା ।

•••

 

ଦ୍ୱିତୀୟ ଅଧ୍ୟାୟ

 

Image

 

Image

 

Image

 

Image

 

ରାଜା ଧନଞ୍ଜୟ ଭଞ୍ଜଙ୍କ (୫୦) ପର୍ଯ୍ୟନ୍ତ ଯେଉଁ ସମସ୍ତ ରାଜାମାନେ ରାଜ୍ୟ ପରିପାଳନ କରୁଥିଲେ, ସେମାନଙ୍କ ବିଷୟରେ କୌଣସି ବିଶେଷ ବୃତ୍ତାନ୍ତ ଜଣାଯାଏ ନାହିଁ । ପ୍ରତାପ ଭଞ୍ଜଙ୍କ (୨୨) ସମୟରେ କୁଲା ନାମକ କନ୍ଧ ଅଧ୍ୟଙ୍କ ତାହାଙ୍କର ଘୋର ଅସନ୍ତୋଷଭାଜନ ହେବା ଯୋଗୁଁ ସେ ତାହାକୁ ଯୁଦ୍ଧରେ ପରାଜିତ କରି ତାହାର ପ୍ରାଣ ସଂହାର କଲେ । ସେହି ସ୍ଥାନରେ ଗୋଟିଏ ଦୁର୍ଗ ନିର୍ମାଣ କରାଇ ଉକ୍ତ କନ୍ଧ ଅଧ୍ୟକ୍ଷର ନାମ ରକ୍ଷା କରିବା ଉଦ୍ଦେଶ୍ୟରେ ସ୍ଥଳଟିକୁ କୁଲାଡ଼ (କୁଲାହାଡ଼) ନାମ ଦେଲେ । ସେଠାରେ ବିଖ୍ୟାତ ବ୍ୟାଘ୍ରଦେବୀଙ୍କୁ ପ୍ରତିଷ୍ଠିତ କରିଥିଲେ । ପାତଳି ଗୋପୀନାଥ ଭଞ୍ଜ (୩୯) ପୁରୁଷୋତ୍ତମ ରାଜାଙ୍କର ଭଗିନୀଙ୍କ ପାଣିଗ୍ରହଣ କରିଥିଲେ । ଗୋପୀନାଥ ଭଞ୍ଜ ଜଣେ ବିଶାଳକାୟ ପୁରୁଷ ଥିଲେ । ତାହାଙ୍କର ଅକଥନୀୟ ଶାରୀରିକ ଶକ୍ତି ଥିଲା । ଥରେ ସେ ଶ୍ରୀକ୍ଷେତ୍ରକୁ ଯାଇ ରାଜପ୍ରାସାଦରେ ପ୍ରବେଶ କରୁଥିଲେ । ସେ ପ୍ରସାଦର ଏକ ଦ୍ୱାର ଦେଇ ଯାଉ ଯାଉ ମସ୍ତକ ବହୁତ ନୁଆଇଁ ଓ ପାଖେଇ ହୋଇ ଯିବାକୁ ପଡ଼ିଲା । ରାଜା ଏହା ଦେଖି ସହାସ୍ୟରେ କହିଲେ ‘ତୁମ୍ଭର ଶରୀର ଅତି ପାତଳ ଅଟେ ।’ ଏବଂ ତାହାଙ୍କୁ ପାତଳି ଗୋପୀନାଥ ଭଞ୍ଜ ବୋଲି ନାମ ଦେଲେ । ସେହି ଦିନାବଧି ସେ ଉକ୍ତ ନାମରେ ପରିଚିତ ହେଲେ । ଗୋପୀନାଥ ଭଞ୍ଜ ଉତ୍କଳର ମହଡ଼ମଣି ଓଡିଶା ରାଜାଙ୍କ ଛାମୁରେ ବହୁ ସମ୍ମାନ ଲାଭ କରିଥିଲେ । ଗୋପୀନାଥ ଭଞ୍ଜଙ୍କ କୀର୍ତ୍ତି ବହୁଦୂର ପର୍ଯ୍ୟନ୍ତ ବ୍ୟାପିଥିଲା । ନିଜର ବାହୁବଳରେ ସେ ଦେଶର ଅବସ୍ଥା ବହୁପରିମାଣରେ ଉନ୍ନତ କରିଥିଲେ ।

 

ବନମାଳୀ ଭଞ୍ଜଙ୍କୁ (୪୮) ତାହାଙ୍କ ସହୋଦର ଗୋପୀନାଥ ଭଞ୍ଜ (୪୯) ବଧ କରି ନିଜେ ରାଜ୍ୟ ଶାସନ କରିବାକୁ ଲାଗିଲେ । ଗୋପୀନାଥ ଭଞ୍ଜ ନିଜ ନାମରେ ଗୋପୀନାଥପୁର ଶାସନ ଓ ତାହାଙ୍କର ପ୍ରିୟତମା ସହଧର୍ମିଣୀ ନୀଳା ଦେବୀଙ୍କ ନାମରେ ନୀଳାଦ୍ରିପୁର ଶାସନ ସ୍ଥାପନ କରିଥିଲେ । ଏହାଙ୍କ ଉତ୍ତାରେ ଜ୍ୟେଷ୍ଠ ପୁତ୍ର ଧନଞ୍ଜୟ ଭଞ୍ଜ ରାଜପଦରେ ଅଭିଷିକ୍ତ ହେଲେ ।

•••

 

ତୃତୀୟ ଅଧ୍ୟାୟ

 

ଧନଞ୍ଜୟ ଭଞ୍ଜ ଜଣେ ସୁବିଖ୍ୟାତ ରାଜପୁରୁଷ ଥିଲେ । ପ୍ରାୟ ସତୁରି ବର୍ଷ କାଳ ସେ ପ୍ରଜାପୁଞ୍ଜଙ୍କୁ ଅତ୍ୟନ୍ତ କୌଶଳରେ ପାଳନ କରିଥିବାର ଜଣାଯାଏ । ବହୁ ସହସ୍ର ମୁଦ୍ରା ବ୍ୟୟ କରି କୁଲାଡ଼ରେ ସେ ଗୋଟିଏ ସୁବୃହତ୍ ପ୍ରାସାଦ ନିର୍ମାଣ କରାଇଥିଲେ । କୁଲାଡ଼ ଦୁର୍ଗ ନିକଟବର୍ତ୍ତୀ ଧନଞ୍ଜୟପୁର ଶାସନ ତାହାଙ୍କଦ୍ୱାରା ସ୍ଥାପିତ । ସେ ତାହାଙ୍କର ଭ୍ରାତା ଗୋବିନ୍ଦ ଭଞ୍ଜଙ୍କୁ ଥାଟରାଜା ପଦରେ ନିଯୁକ୍ତ କରିଥିଲେ । ରାଜାଙ୍କର ଦ୍ୱାଦଶ ପୁତ୍ର ଥିଲେ । ସେମାନଙ୍କ ମଧ୍ୟରେ ଜ୍ୟେଷ୍ଠ ଗଙ୍ଗାଧର ଭଞ୍ଜ । ମଣ୍ଡା ଦେବୀ ନାମ୍ନୀ ନବଦୁର୍ଗ ରାଜଦୁହିତା ରାଜାଙ୍କର ପ୍ରିୟତମା ପତ୍ନୀ ଥିଲେ । ମଣ୍ଡାଦେବୀଙ୍କ ଗର୍ଭରୁ ନୀଳକଣ୍ଠ ଭଞ୍ଜ ନାମରେ ପୁତ୍ର ଜନ୍ମ ଗ୍ରହଣ କରିଥିଲେ । ପ୍ରିୟତମାଙ୍କ ଚାଟୁ, ବଚନର ବଶବର୍ତ୍ତୀ ହୋଇ ରାଜା ଧନଞ୍ଜୟ ତାହାଙ୍କର ପୁତ୍ର ନୀଳକଣ୍ଠ ଭଞ୍ଜଙ୍କୁ ରାଜ୍ୟଭର ସମର୍ପଣ କରିବାକୁ ପ୍ରତିଜ୍ଞା କରିଥିଲେ । କିନ୍ତୁ ତାହାଙ୍କର ଦ୍ୱାଦଶ ପୁତ୍ର ଓ ଥାଟରାଜାଙ୍କ ଛ ଜଣ ପୁତ୍ରଙ୍କ ମଧ୍ୟରେ ତାହାଙ୍କୁ କିପରି ଉତ୍ତରାଧିକାରୀ କରିବାକୁ ହେବ, ଏ ବିଷୟ ଘେନି ଭାରି ଚିନ୍ତିତ ଥାନ୍ତି । ଥାଟରାଜାଙ୍କ ପୁତ୍ରମାନଙ୍କ ମଧ୍ୟରେ କନିଷ୍ଠଙ୍କ ନାମ ଘନ ଭଞ୍ଜ ଥିଲା ।

 

ଦିନେ ଜଣେ ବିଖ୍ୟାତ ଭବିଷ୍ୟତ୍‌ବକ୍ତା ଜ୍ୟୋତିଷଶାସ୍ତ୍ରଜ୍ଞ ପଣ୍ଡିତ ଆସି ଦେଶରେ ଉପସ୍ଥିତ ହେବାରୁ ରାଜା ତାହାଙ୍କୁ ସମାଦରପୂର୍ବକ ସ୍ଥାନ ଦେଲେ । କଥୋପକଥନ ସମୟରେ ରାଜା ଦିନେ ନିଜର ସନ୍ଦେହ ଖଣ୍ଡନ କରିବା ଇଚ୍ଛାରେ ତାହାଙ୍କୁ ପ୍ରଶ୍ନ କଲେ, ‘ଆମ୍ଭ ଉତ୍ତାରେ ଏହି ଦେଶରେ ରାଜା କିଏ ହେବ, ସ୍ଥିର କରି ପାରୁ ନାହୁଁ । ଆପଣ ବିଚାରପୂର୍ବକ କହନ୍ତୁ ।’ ପଣ୍ଡିତ ରାଜା ଓ ଥାଟରାଜାଙ୍କ ସମସ୍ତ ପୁତ୍ରଙ୍କୁ ତାହାଙ୍କ ନିକଟକୁ ଘେନି ଆସିବାକୁ ଆଦେଶ ଦେଲେ । ସମସ୍ତଙ୍କର ଲକ୍ଷଣମାନ ବିବେଚନାପୂର୍ବକ ପଣ୍ଡିତ ମହାଶୟ କହିଲେ, ‘ଧନିଆ ଉତ୍ତାରେ ଘନିଆ ରାଜା ହେବ ।’ ଏହି ବାକ୍ୟ ଶ୍ରବଣ ମାତ୍ରକେ ରାଜା ଧନଞ୍ଜୟ ଆଶ୍ଚର୍ଯ୍ୟାନ୍ୱିତ ହେଲେ । ମନେ ମନେ ବିଚାର କଲେ, ଆମ୍ଭର ପ୍ରିୟତମା ମଣ୍ଡାଦେବୀଙ୍କ ପୁତ୍ର ନୀଳକଣ୍ଠଙ୍କୁ ରାଜ୍ୟଭାର ଅର୍ପଣ କରିବା କଥା ତେଣେ ଥାଉ, ଜ୍ୟେଷ୍ଠପୁତ୍ର ଗଙ୍ଗାଧର ସୁଦ୍ଧା ରାଜା ହେବାର ନ କହିଲେ । ଘନ ଭଞ୍ଜ କେବଳ ଥାଟରାଜାଙ୍କର କନିଷ୍ଠ ପୁତ୍ର । ଏପରି ଅବସ୍ଥାରେ କିପରି ଆମ୍ଭପରେ ରାଜପଦ ଲାଭ କରିବେ କିଛି ବୁଝି ପାରୁ ନାହୁଁ-। ଏହିପରି ଭାବି ଭାବି ଅତ୍ୟନ୍ତ ଚିନ୍ତିତ ହେଲେ । ଏଣେ ମଣ୍ଡାଦେବୀ ନୀଳକଣ୍ଠଙ୍କୁ ଯୁବରାଜ କରିବା ନିମନ୍ତେ ସ୍ୱାମିଙ୍କୁ ସର୍ବଦା ଅନୁରୋଧ କରୁଥାନ୍ତି । ରାଜା କୌଣସି କଥା ସ୍ଥିର କରି ନ ପାରି ତାହାଙ୍କର ବୃଦ୍ଧାବସ୍ଥା ବ୍ୟଥିତମାନସରେ ଯାପନ କରୁଥାନ୍ତି । କିଛିଦିନ ପରେ ପୁତ୍ର ଜଗନ୍ନାଥ ଭଞ୍ଜଙ୍କୁ ଜଗନ୍ନାଥପ୍ରସାଦ ମୁଠା ଓ ହରିଶରଣ ଭଞ୍ଜଙ୍କୁ ବୁଗୁଡ଼ା ମୁଠାର ଏକପ୍ରକାର ସ୍ୱତନ୍ତ୍ର ଅଧିକାର ପ୍ରଦାନ କଲେ । ସେ ଦୁହେଁ ନିଜ ନିଜ ସ୍ଥାନମାନଙ୍କରେ ଉପସ୍ଥିତ ହୋଇ ସେହିଠାରେ ଦୁର୍ଗ, ମନ୍ଦିର, ପୀଠ ପ୍ରଭୃତି ସ୍ଥାପନ କରି ପ୍ରଜାବର୍ଗଙ୍କୁ ପାଳନ କଲେ । ମଙ୍ଗରାଜପୁର ଓ ହରିଶରଣପୁର ନାମକ ଶାସନମାନ ଏ ଉଭୟଙ୍କଦ୍ୱାରା ସ୍ଥାପିତ ହୋଇଅଛି ।

 

ମଣ୍ଡା ଦେବୀ ନିଜ ଉଦ୍ଦେଶ୍ୟ ସାଧନ କରିବା ଇଚ୍ଛାରେ ନାନାପ୍ରକାର ଅସତ୍‍ ଉପାୟମାନ ଅବବମ୍ବନ କରିଥିବାର କଥିତ ଅଛି । ଥାଟରାଜାଙ୍କ ପୁତ୍ରମାନେ ରାଜାଙ୍କ ଜ୍ୟେଷ୍ଠ ସୁତ ଗଙ୍ଗାଧରଙ୍କ ସହିତ ମିଳି ରାଜ୍ୟ ଲାଭ ନିମନ୍ତେ ନାନାପ୍ରକାର କୁମନ୍ତ୍ରଣା କରୁଅଛନ୍ତି ବୋଲି ଅକାରଣରେ ରାଜାଙ୍କ ମନରେ ବିଶ୍ୱାସ ଜନ୍ମାଇ ପ୍ରଥମେ ସେମାନଙ୍କୁ ଦେଶରୁ ଅନ୍ତର କରାଇଲେ । ଗୋବିନ୍ଦ ଭଞ୍ଜ ବ୍ୟସ୍ତ ହୋଇ ନିଜ ସନ୍ତାନଗଣଙ୍କୁ ସଙ୍ଗରେ ଘେନି ସ୍ୱଦେଶ ତ୍ୟାଗ କରି ପଳାୟନ କଲେ । ସେମାନେ ଯାଇ ନବଦୁର୍ଗ ରାଜ୍ୟ ମଧ୍ୟରେ ଆଶ୍ରୟ ନେଲେ, କିନ୍ତୁ କନିଷ୍ଠ ପୁତ୍ର ଘନ ଭଞ୍ଜ ଧରାକୋଟ ଯାଇ ବାସ କଲେ । ଏହା ପରେ ମଣ୍ଡାଦେବୀ ଗୁପ୍ତଭାବରେ ଭୋଜନକାଳରେ ଅନ୍ତଃପୁରସ୍ଥା କୌଣସି ଏକ ବ୍ରାହ୍ମଣ ସ୍ତ୍ରୀ (ନାନୀ) କର୍ତ୍ତୃକ ବିଷ ପ୍ରୟୋଗଦ୍ୱାରା ବୃଦ୍ଧ ସ୍ୱାମିଙ୍କର ପ୍ରାଣ ସଂହାର କରିବାକୁ ସାହସୀ ହୋଇଥିଲେ ବୋଲି କଥିତ ଅଛି । ପିତାଙ୍କ ମୃତ୍ୟୁ ପରେ ନୀଳକଣ୍ଠ ଭଞ୍ଜ ପୂର୍ବସଜ୍ଜିତ ଦଳବଳ ଘେନି ସିଂହାସନାରୋହଣ କଲେ । ତତ୍‌କ୍ଷଣାତ୍ ଏକ ନିଶା ମଧ୍ୟରେ ନିଜ ଦଳର ସାହାଯ୍ୟରେ ଜ୍ୟେଷ୍ଠ ଭ୍ରାତା ଗଙ୍ଗାଧରଙ୍କ ପ୍ରାସାଦରେ ପ୍ରବେଶ କରି ଅକାତରେ ତାହାଙ୍କର ଓ ତାହାଙ୍କ ପୁତ୍ର ଶତ୍ରୁଞ୍ଜୟ ଭଞ୍ଜଙ୍କର ଶିରଚ୍ଛେଦନ କରି ପକାଇଲେ । ଏହି ବିଷମ ସଙ୍କଟରେ କେବଳ ଶତ୍ରୁଞ୍ଜୟ ଭଞ୍ଜଙ୍କର ଅନ୍ତଃସତ୍ୱା ପତ୍ନୀ ଅନୁଚରବର୍ଗଙ୍କ ସହାୟତାରେ ବହୁ କ୍ଳେଶରେ ରକ୍ଷା ପାଇ ଯାଇ କରଡ଼ା ରାଜ୍ୟରେ ଆଶ୍ରୟ ଗ୍ରହଣ କରିଥିଲେ । ନୀଳକଣ୍ଠ ଭଞ୍ଜ ପରିଶେଷରେ ସିଂହାସନ ନିଷ୍କଣ୍ଟକ ମଣି ନିଶ୍ଚିନ୍ତ ଭାବରେ ରାଜ୍ୟ ପାଳନ କରିବାକୁ ଲାଗିଲେ । କିନ୍ତୁ ଗଭୀର ପାପକର୍ମାଜିତ ଜୟ ଓ ସମ୍ପଦ କ୍ଷଣସ୍ଥାୟୀ । ସର୍ବସାକ୍ଷୀ ବିଧିର ବିଧାନ ଅନିବାର୍ଯ୍ୟ । ରାଜାଙ୍କ ସମସ୍ତ ଲୋମହର୍ଷଣ ହତ୍ୟାକାଣ୍ଡ ଚତୁର୍ଦିଗରେ ବ୍ୟାପିଲା । ସ୍ୱଭାବତଃ ଅନ୍ୟାନ୍ୟ ସମସ୍ତ ରାଜାମାନେ ଅତିଶୟ ଘୃଣାଚକ୍ଷୁରେ ତାହାଙ୍କୁ ଚାହିଁଲେ । ଘନ ଭଞ୍ଜ ଧରାକୋଟରେ ସମସ୍ତ ବୃତ୍ତାନ୍ତ ଅବଗତ ହୋଇ ତତ୍‌କ୍ଷଣାତ୍ କ୍ରୁଦ୍ଧମାନସରେ ସେହିଠାରୁ ବହିର୍ଗତ ହୋଇ କରଡ଼ା ରାଜ୍ୟରେ ପହଞ୍ଚି ଶତ୍ରୁଞ୍ଜୟ ଭଞ୍ଜଙ୍କ ପତ୍ନୀ ସହିତ ମିଳିଲେ । ତାହାଙ୍କର ଏଥି ମଧ୍ୟରେ ସେହିଠାରେ ଏକ କୁମାର ଜନ୍ମଗ୍ରହଣ କରିଥିଲେ । ଶିଶୁ କୁମାରଙ୍କୁ ରଣ ଭଞ୍ଜ ନାମ ପ୍ରଦାନ କରି ତାହାଙ୍କୁ ସଙ୍ଗରେ ଘେନି ଗୁମସର ରାଜ୍ୟରେ ଯାଇ ଉପସ୍ଥିତ ହେଲେ । ଘନ ଭଞ୍ଜ ଗାଲେରିଠାରେ ରାଜ୍ୟର ବହୁସଂଖ୍ୟକ ପ୍ରଧାନ ପ୍ରଧାନ ପ୍ରଜା କନ୍ଧ ପାଣ ପ୍ରଭୃତିଙ୍କୁ ନିମନ୍ତ୍ରଣ କରି ଆଣିଲେ । ସମବେତ ପ୍ରଜାପୁଞ୍ଜଙ୍କୁ ନୀଳକଣ୍ଠ ଭଞ୍ଜଙ୍କ କୃତ ସମସ୍ତ ଅନ୍ୟାୟ ବ୍ୟବହାର ସ୍ପଷ୍ଟରୂପେ ବୁଝାଇ ଦେଇ ପୂର୍ବ ରାଜାଙ୍କ ଜ୍ୟେଷ୍ଠ ପୁତ୍ର ଗଙ୍ଗାଧରଙ୍କ ପୁତ୍ର ମୃତ ଶତ୍ରୁଞ୍ଜୟ ଭଞ୍ଜଙ୍କ ଶିଶୁ କୁମାରଙ୍କୁ ରାଜା କରିବା ନିମନ୍ତେ ସ୍ଥିର କଲେ । ସେହିଠାରୁ ରଣସଜ୍ଜା କରି ସମସ୍ତଙ୍କୁ ଘେନି କୁଲାଡ଼ ଅଭିମୁଖରେ ଯାତ୍ରା କଲେ । ନୀଳକଣ୍ଠ ଭଞ୍ଜ ଏହି ସମ୍ବାଦ ପାଇବା ମାତ୍ରକେ ଭୀତ ହୋଇ ନିଜ ପରିବାରବର୍ଗଙ୍କୁ ସଙ୍ଗରେ ଘେନି ରାଜ୍ୟ ତ୍ୟାଗ କରି ପାଳୟନ କଲେ । ସେ କେବଳ ପ୍ରାୟ ଦୁଇ ବର୍ଷ କାଳ ଏଥିମଧ୍ୟରେ ରାଜ୍ୟାଧିକାର କରିଥିଲେ-। ଏହା ପରେ ଘନ ଭୁଞ୍ଜ ନାମ ମାତ୍ର ରଣ ଭଞ୍ଜଙ୍କୁ ରାଜପଦ ପ୍ରଦାନ କରି ନିଜେ ସମସ୍ତ ରାଜକାର୍ଯ୍ୟ ପରିଚାଳନା କରିବାକୁ ଲାଗିଲେ । ତାହାଙ୍କର ମାନସିକ ଓ ଶାରୀରିକ ଶକ୍ତି ଅକଥନୀୟ ଥିଲା । କିନ୍ତୁ କିଛିକାଳ ପରେ ସେ ସୁଦ୍ଧା ପାପପିଶାଚର ବଶବର୍ତ୍ତୀ ହୋଇ ଶିଶୁ ରାଜକୁମାର ରଣ ଭଞ୍ଜଙ୍କର ପ୍ରାଣ ନାଶ କରି ନିଜେ ସିଂହାସନାରୋହଣ କଲେ । ମାତ୍ର ତହିଁରେ ନିରାପଦରେ ଆସୀନ ହେବା ନିମନ୍ତେ ତାହାଙ୍କୁ ବହୁ କ୍ଳେଶ ସହ୍ୟ କରିବାକୁ ପଡ଼ିଥିଲା ।

 

ସେ ସମସ୍ତ ବୃତ୍ତାନ୍ତ ଉଲ୍ଲେଖ କରିବା ପୂର୍ବେ ରାଜପଦଚ୍ୟୁତ ନୀଳକଣ୍ଠ ଭଞ୍ଜଙ୍କ ସହିତ ଆମ୍ଭେମାନେ କିଛିକାଳ ବିଚରଣ କରିବା ଏକାନ୍ତ ଆବଶ୍ୟକ; କାରଣ ତଦ୍ଦ୍ୱାରା ଉତ୍କଳର ମହାକବି ଉପେନ୍ଦ୍ର ଭଞ୍ଜ ବୀରବରଙ୍କ ପରିଚୟ ପାଉଁ । ନୀଳକଣ୍ଠ ଭଞ୍ଜ ସପରିବାରରେ ଗୁମସର ରାଜ୍ୟ ପରିତ୍ୟାଗ କରି କିଛି କାଳ ଧରାକୋଟ ଓ ଆଠଗଡ଼ ରାଜ୍ୟମାନଙ୍କରେ ଆଶ୍ରୟ ଗ୍ରହଣ କଲେ । ତାହା ପରେ ଯାଇ ନବଦୁର୍ଗ ରାଜଧାନୀର ମାଳିସାହିରେ ନିବାସ କଲେ । ଉପେନ୍ଦ୍ର ଭଞ୍ଜ ଏହାଙ୍କର ପୁତ୍ର ଥିଲେ । ଏହି ସମୟରେ ତାହାଙ୍କର ବୟସ ଅଳ୍ପମାତ୍ର ଥିଲା । ରାମତାରକ ମନ୍ତ୍ର ସାଧନଦ୍ୱାରା ତାହାଙ୍କର କବିତା ଶକ୍ତି ଉଦିତ ହୋଇଥିବାର ସେ ନିଜ ରଚିତ ଗ୍ରନ୍ଥମାନଙ୍କରେ ପ୍ରକାଶ କରିଅଛନ୍ତି-। ଗୁମସର ରାଜପୁରୁଷଗଣଙ୍କର ଦେବୀ ଉପାସନା ଓ ମନ୍ତ୍ରସାଧନା ସକଳ ସମୟରେ ପ୍ରଧାନ ସମ୍ବଳ ଥିବାର କଥିତ ଅଛି । ଏହା ସାହାଯ୍ୟରେ ସେମାନଙ୍କଦ୍ୱାରା ସମୟ ସମୟରେ ଅଦ୍ଭୁତ କାର୍ଯ୍ୟମାନ ସମ୍ପାଦିତ ହୋଇଥିବାର କଥିତ ଅଛି । ଉପେନ୍ଦ୍ର ଭଞ୍ଜ ଅସାଧାରଣ ଶକ୍ତି ଓ ସାମର୍ଥ୍ୟ ପ୍ରଦର୍ଶନପୂର୍ବକ ଯେଉଁ ସମସ୍ତ ବିବିଧବିଷୟକ ବହୁସଂଖ୍ୟକ ଗ୍ରନ୍ଥମାନ ରଚନା କରି ଯାଇଅଛନ୍ତି, ତାହା ଉଲ୍ଲେଖ କରିବା ବାହୁଲ୍ୟ ମାତ୍ର । ସେଗୁଡ଼ିକ ମଧ୍ୟରୁ ଅନେକ ଆଜିଯାଏ ସୁଦ୍ଧା ଅପ୍ରକାଶିତାବସ୍ଥାରେ କେବଳ ତାଳପତ୍ର ପୁସ୍ତକମାନଙ୍କରେ ଲିଖିତ ରହିଅଛି ।

 

ଭଞ୍ଜ କବିଙ୍କ ଜନ୍ମକାଳ ଓ ରଚନା ସମ୍ବନ୍ଧରେ ବହୁ ମତଭେଦ ଦେଖାଯାଏ । ସେ ବିଷୟ ଏଠାରେ ଉଲ୍ଲେଖ କିମ୍ବା ଆଲୋଚନା କରିବା ଅପ୍ରାସଙ୍ଗିକ ବୋଧହୁଏ । ଯାହାହେଉ ସେ ମହାତ୍ମା ସ୍ୱୀୟ ଅଦ୍ଭୁତ କଳ୍ପନାଶକ୍ତି, କୌଶଳ ଓ ପାଣ୍ଡିତ୍ୟଦ୍ୱାରା ସମଗ୍ର ଉତ୍କଳଭୂମିକୁ ଧନ୍ୟ କରି ନିଜକୁ ଅମର କରି ଯାଇଅଛନ୍ତି, ଏହା ଅବଶ୍ୟ ମୁକ୍ତକଣ୍ଠରେ ସ୍ୱୀକାର କରିବାକୁ ହେବ । ଗୁମସର ରାଜପୁରୁଷମାନଙ୍କ ମଧ୍ୟରେ ଅନ୍ୟ କେତେ ଜଣ ମଧ୍ୟ କବି* ଥିଲେ ।

 

*

୧ ବଳଭଦ୍ର ଭଞ୍ଜ । ୨ ଧନଞ୍ଜୟ ରଞ୍ଜ । ୩ ଘନ ଭଞ୍ଜ ।

•••

 

ଚତୁର୍ଥ ଅଧ୍ୟାୟ

(୧୭୦୭-୧୭୯୦)

 

ଘନ ଭଞ୍ଜ ଶିଶୁ ରାଜକୁମାରଙ୍କୁ ବଧ କରି ସିଂହାସନ ଆକ୍ରମଣ କରିଥିବା ସମ୍ବାଦ ସମସ୍ତଙ୍କ ଶ୍ରୁତିଗୋଚର ହେଲାରୁ ସେ ଅତିଶୟ ଘୃଣ୍ୟ ହେଲେ । ଇଚ୍ଛାପୁରସ୍ଥ ତତ୍କାଳୀନ ମୁସଲମାନ ନବାବ ମଧ୍ୟ ଘନ ଭଞ୍ଜଙ୍କର ଏହି ଅନ୍ୟାୟ ଆଚରଣ ଜାଣି ପାରି ଅବିଳମ୍ବେ ନିଜ ସୈନିକବୃନ୍ଦଙ୍କ ସହାୟତାରେ ତାହାଙ୍କୁ ରାଜ୍ୟରୁ ଅନ୍ତର କରାଇ ଆଣି ସେଠାରେ ବନ୍ଦୀ କରାଇଲେ । ନବାବଙ୍କର ଏକ ବିଶାଳକାୟ ବଳବାନ୍‌ ଓ ଦୁଷ୍ଟ ଘୋଟକ ଥିଲା । ନବାବଙ୍କ ଲୋକେ କେହି ଉକ୍ତ ଘୋଟକ ଆରୋହଣ ପୂର୍ବକ ଗମନାଗମନ କରି ପାରୁ ନ ଥିଲେ । ଉପଯୁକ୍ତ ଓ ସମର୍ଥ ଆରୋହୀ ଅଭାବରୁ ଘୋଟକଟି କେବଳ ବନ୍ଧା ରହିଥାଏ । ଘନ ଭଞ୍ଜଙ୍କର ଏ ବିଷୟରେ ବହୁଦୂର ପର୍ଯ୍ୟନ୍ତ ଅନୁଶୀଳନ ଓ କୌଶଳ ଥିବାର ନବାବ ଜାଣିପାରି ଦିନେ ତାହାଙ୍କୁ ଉକ୍ତ ଘୋଟକ ଉପରେ ଆରୋହଣ ପୂର୍ବକ କିଛିକାଳ ଦୌଡ଼ାଇବାକୁ ଆଦେଶ କଲେ । ଘନ ଭଞ୍ଜ ତତ୍‌କ୍ଷଣାତ୍‌ ନବାବ ଓ ତାହାଙ୍କ ସମସ୍ତ ସୈନିକଙ୍କ ସମ୍ମୁଖରେ ଘୋଟକାରୂଢ଼ ହୋଇ ଏଣେତେଣେ କେତେଥର ବିନା କ୍ଳେଶରେ ଦୌଡ଼ାଇଲା ପରେ ଏକାବେଳକେ ସ୍ୱୀୟ ରାଜ୍ୟାଭିମୁଖରେ ଅତ୍ୟନ୍ତ ପ୍ରଖରଗତିରେ ଯାତ୍ରା କଲେ । ସୈନିକଗଣ ତାହାଙ୍କ ପଶ୍ଚାତରେ ଶୀଘ୍ର ଧାବମାନ ହୋଇ ସୁଦ୍ଧା ଫେରାଇ ପାରିଲେ ନାହିଁ । ରାଜା ଘନ ଭଞ୍ଜ ଅନତିବିଳମ୍ବରେ ଯାଇ ନିଜ ରାଜ୍ୟସ୍ଥିତ ବିଷ୍ଣୁଚକ୍ର ମୁଠା ସୋରଡ଼ ଗ୍ରାମରେ ପହଞ୍ଚିଲେ । ସେହି ଗ୍ରାମର ସରୋବର ନିକଟରେ ଅଶ୍ୱ ଉପରୁ ଓହ୍ଲାଇ ଅଳ୍ପକାଳ ବିଶ୍ରାମ କଲେ । ନିଜେ ଲଘୁଖାଦ୍ୟ ଗ୍ରହଣ କରି ଅଶ୍ୱକୁ ମଧ୍ୟ ଆହାର ଯୋଗାଇଲେ । ପଥଶ୍ରମ ଦୂର କଲା ପରେ ଘନ ଭଞ୍ଜ ମନେ ମନେ ଚିନ୍ତା କଲେ, ବର୍ତ୍ତମାନ ଆମ୍ଭେ ନିଜ ରାଜ୍ୟରେ ଓ ଅପର ରାଜାମାନଙ୍କ ସମ୍ମୁଖରେ ଅତିଶୟ ଘୃଣିତ । ଏଣେ ନବାବଙ୍କ ବିନାନୁମତିରେ ଫେରି ଆସିଅଛୁଁ । ଏହିପରି ସମୟ ଓ ଅବସ୍ଥାରେ ଆମ୍ଭେ କଦାପି ନିଶ୍ଚିନ୍ତ ହୋଇ ସ୍ୱରାଜ୍ୟରେ କାଳାତିପାତ କରି ପାରିବୁ ନାହିଁ । ଏଠାରୁ ଫେରି ଯିବାହିଁ ଶ୍ରେୟସ୍କର । ଏହାପରେ ଇଚ୍ଛାପୁରକୁ ବାହୁଡ଼ି ନବାବଙ୍କ ସମ୍ମୁଖରେ ଉପସ୍ଥିତ ହେଲେ-। ଅନାୟତ୍ତ ହେବା ଯୋଗୁଁ ବହୁ ଦୂରଯାଏ ଅଶ୍ୱପୃଷ୍ଟରେ ଯାଇଥିବାର ବୁଝାଇ କହିଲେ । ନବାବ ରାଜାଙ୍କର ପରାକ୍ରମରେ ପରମ ସନ୍ତୁଷ୍ଟ ହୋଇ ତାହାଙ୍କୁ ନିଜ ରାଜ୍ୟାଧିକାର ପୁନଃ ପ୍ରଦାନ କଲେ । ରାଜ୍ୟର କର ୭୦୦୦ ଟଙ୍କା ନିର୍ଣ୍ଣୀତ ହେଲା । ନବାବ ସାହେବଙ୍କ ଆଦେଶ ପାଇ ଘନ ଭଞ୍ଜ ପୁନର୍ବାର ୧୭୧୨ ଖ୍ରୀଷ୍ଟାବ୍ଦରେ ଗୁମସର ରାଜପଦରେ ଅଭିଷିକ୍ତ ହେଲେ । ରାଜ୍ୟର ସର୍ଦାର, ପାଇକ, ପ୍ରଧାନ ପ୍ରଭୃତି ପ୍ରଜାପୁଞ୍ଜଙ୍କୁ ନିମନ୍ତ୍ରଣ କରି ସେମାନଙ୍କୁ ସମସ୍ତ ବୃତ୍ତାନ୍ତ ଅବଗତ କରାଇଲେ, ନାନା ଉପାୟରେ ସେମାନଙ୍କୁ ସନ୍ତୁଷ୍ଟ କରି ଆୟତ୍ତ କଲେ ଏବଂ ବହୁ ଯତ୍ନପୂର୍ବକ ରାଜ୍ୟ ପରିପାଳନା କରି ନାନାମତେ ତାହାର ଶ୍ରୀବୃଦ୍ଧି କଲେ । ଗୁମସର ସୁବିସ୍ତୀର୍ଣ୍ଣ ଓ ରାଜା ପରାକ୍ରମଶାଳୀ ଏବଂ ଉତ୍କୃଷ୍ଟ ବଂଶଜ ଥିବା ଯୋଗୁଁ ଅନ୍ୟାନ୍ୟ ରାଜନ୍ୟବୃନ୍ଦଙ୍କଦ୍ୱାରା ଅତ୍ୟନ୍ତ ସମ୍ମାନିତ ହେଉଥିଲେ । ଘନ ଭଞ୍ଜ ପୁନର୍ବାର ରାଜା ହେବାର ଦେଖି ସେମାନେ ଏକମନ ହୋଇ ବିଚାର କଲେ, ନିଜେ କେବଳ ଥାଟରାଜାଙ୍କ କନିଷ୍ଠ କୁମର ହୋଇ ନାନା ପାପକର୍ମ ଓ ହତ୍ୟାକାଣ୍ଡଦ୍ୱାରା ଘନ ଭଞ୍ଜ ସିଂହାସନାସୀନ ହୋଇଅଛନ୍ତି । ଆମ୍ଭେମାନେ ଏଣିକି ତାହାଙ୍କୁ ପୂର୍ବବତ୍ ସମ୍ମାନ କରିବା ଅବିଧି । ରାଜା ଘନ ଭଞ୍ଜ ସମସ୍ତଙ୍କର ତଦନୁରୂପ ଆଚରଣରେ ନିତାନ୍ତ କ୍ରୁଦ୍ଧ ହୋଇ ନିଜ ସୈନିକଗଣଙ୍କୁ ଏକତ୍ରିତ କରି ଯୁଦ୍ଧର ଆୟୋଜନ କଲେ । ସସୈନ୍ୟରେ ନିଜ ରାଜ୍ୟରୁ ବହିର୍ଗତ ହୋଇ ସମସ୍ତ ରାଜାମାନଙ୍କୁ ପରାଜୟ କଲେ । ସେମାନଙ୍କ ରାଜ୍ୟ ଲୁଣ୍ଠନ ଦହନ ପ୍ରଭୃତି ବିନାଶକ୍ରିୟାଦ୍ୱାରା ନାରଖାର କରି ପକାଇଲେ । ପ୍ରାୟ ଦୁଇ ବର୍ଷକାଳ ଏହିପରି ଅସିହସ୍ତ ହୋଇ ଘନ ଭଞ୍ଜ ବୀର ସ୍ୱରାଜ୍ୟର ପୂର୍ବ ଗୌରବ ପୂର୍ଣ୍ଣମାତ୍ରାରେ ରକ୍ଷା କଲେ । ସମସ୍ତଙ୍କୁ ନିଜ ସମ୍ମୁଖରେ ନତମସ୍ତକ ଦେଖି ରାଜା ସ୍ୱଦୁର୍ଗକୁ ଫେରି ଆସିଲେ । ଏହି ସମୟରେ ଓଡ଼ିଶାର ରାମଚନ୍ଦ୍ର ଦେବ ନାମକ ଜଣେ ରାଜା ମୁସଲମାନ ନବାବଙ୍କ ଆକ୍ରମଣ ଯୋଗୁଁ ବିପଦ୍‌ଗ୍ରସ୍ତ ଥିଲେ । ନବାବ ତାହାଙ୍କ ଦୁର୍ଗରେ ପ୍ରବେଶ କରି ପରାଜିତ କରିବାରୁ ସେ ଆଠଗଡ଼ରେ ଆସି ଆଶ୍ରୟ ନେଇଥିଲେ । ଗୁପ୍ତଭାବରେ ଗୁମସର ରାଜାଙ୍କ ସହିତ ପରାମର୍ଶ କରିବାରୁ ଘନ ଭଞ୍ଜ ସେଠାକୁ ଯାଇ ତାହାଙ୍କୁ ନିଜ ରାଜ୍ୟକୁ ନିମନ୍ତ୍ରଣ କରି ଆଣିଲେ । ଗାଲେରୀଠାରେ ତାହାଙ୍କୁ ସମାଦରପୂର୍ବକ ପ୍ରାୟ ଦୁଇ ମାସ କାଳ ସ୍ଥାନ ଦେଇ ପ୍ରକାଣ୍ଡ ସମରସଜ୍ଜା କରିବାକୁ ଲାଗିଲେ । ଶେଷରେ ସମସ୍ତ ସୈନ୍ୟଙ୍କୁ ସଙ୍ଗରେ ଦେଇ ରାମଚନ୍ଦ୍ର ଦେବଙ୍କୁ ସ୍ୱରାଜ୍ୟକୁ ପ୍ରେରଣ କଲେ । ଗୁମସରର ସୈନିକବର୍ଗଙ୍କଦ୍ୱାରା ନବାବ ପରାଜିତ ହୋଇ ସ୍ଥାନ ତ୍ୟାଗ କରିଗଲେ ଏବଂ ରାମଚନ୍ଦ୍ର ଦେବ ମହାନନ୍ଦରେ ପୂର୍ବାଧିକାର ପ୍ରାପ୍ତ ହେଲେ । ଉକ୍ତ ସେନାବୃନ୍ଦ ନିଜ ରାଜ୍ୟକୁ ଫେରି ଆସି ବହୁ ସମାଦର ଲାଭ କଲେ । ରାମଚନ୍ଦ୍ର ଦେବ ଘନ ଭଞ୍ଜଙ୍କ ପରାକ୍ରମରେ ସନ୍ତୁଷ୍ଟ ହୋଇ ତାହାଙ୍କୁ ‘କ୍ଷତ୍ରିୟବର’ ଆଖ୍ୟା ପ୍ରଦାନ କଲେ । ଉକ୍ତ ନାମ ତାହାଙ୍କଦ୍ୱାରା ସ୍ଥାପିତ କ୍ଷତ୍ରିୟବରପୁର ଶାସନରେ ରକ୍ଷିତ ହୋଇଅଛି । ସେ ଜଣେ କୃଷ୍ଣକାୟ ପୁରୁଷ ଥିବା ଯୋଗୁଁ ତାହାଙ୍କ ପିତା ଘନ ନାମ ପ୍ରଦାନ କରିଥିଲେ । ଘନ ଭଞ୍ଜଙ୍କ କୀର୍ତ୍ତିରାଜି ସର୍ବତ୍ର ଘୋଷିତ ହେଉଥିଲା । ସେ ଅନେକ କୂପ, ସରୋବର, ମନ୍ଦିର, ପାନ୍ଥଶାଳା, ଉଦ୍ୟାନ ପ୍ରଭୃତି ସ୍ଥାପନ କରିଥିଲେ । ତାହାଙ୍କ ସମୟରେ ସ୍ୱରାଜ୍ୟର ଅବସ୍ଥା ବହୁଦୂର ପର୍ଯ୍ୟନ୍ତ ଉନ୍ନତ ହୋଇଥିଲା । ତାହାଙ୍କର ସାତ ଜଣ ପତ୍ନୀ ଥିଲେ । ଏମାନଙ୍କ ଗର୍ଭରୁ ଅନେକ ସନ୍ତାନ ଜନ୍ମଗ୍ରହଣ କରିଥିଲେ । ଜ୍ୟେଷ୍ଠ ପୁତ୍ର କୃଷ୍ଣ ଭଞ୍ଜ ପିତାଙ୍କ ବିଯୋଗାନ୍ତେ ୧୭୫୪ ଖ୍ରୀଷ୍ଟାବ୍ଦରେ ସିଂହାସନାରୋହଣ କଲେ । ସେ ମଧ୍ୟ ପିତାଙ୍କ ପରି ଜଣେ ବିଖ୍ୟାତ ଓ ପରାକ୍ରମଶାଳୀ ରାଜାଥିଲେ । ତାହାଙ୍କ ରାଜତ୍ୱ ସମୟରେ ଭାରତବର୍ଷରେ ଫ୍ରେଞ୍ଚ ଓ ଇଂରାଜମାନଙ୍କ ମଧ୍ୟରେ ଦେଶାଧିକାର ନିମନ୍ତେ ତୁମୁଳ ଆନ୍ଦୋଳନ ଲାଗିଲା । ଗଞ୍ଜାମ ଜିଲ୍ଲା ସେହି ସମୟରେ ଶ୍ରୀକାକୋଳ ସରକାରସ୍ଥ (Chicacole circar) ଇଚ୍ଛାପୁର ବିଭାଗର ଅନ୍ତର୍ଗତ ଥିଲା । ଫ୍ରେଞ୍ଚମାନଙ୍କ ଅନୁମତିରେ ସର୍କାରଟି ମୁସଲମାନ ନବାବଙ୍କଦ୍ୱାରା ଶାସିତ ହେଉଥିଲା । ୧୭୫୭ ଖ୍ରୀଷ୍ଟାବ୍ଦରେ ତକ୍ରତ୍ୟ ଜଣେ ଅକ୍ଷମ ମୁସଲମାନ ନବାବଙ୍କଦ୍ୱାରା ଦେଶର କର ଆଦାୟ କରାଯାଇ ନ ପାରିବାରୁ ବହୁ ପରିମାଣରେ ବାକି ପଡ଼ି ରହିଲା । ଏହି କାରଣରୁ ଦେଶର ନାନା ସ୍ଥାନରେ ଗଣ୍ଡଗୋଳ ମଧ୍ୟ ଜାତ ହୋଇଥିବାରୁ ଫ୍ରେଞ୍ଚ ଅଧ୍ୟକ୍ଷ ଡି.ବୁସି. (Monsieur De Bussy) ନିଜେ ଯାଇ ସମସ୍ତ ବିଷୟରେ ବନ୍ଦୋବସ୍ତ ନେବାକୁ ସ୍ଥିର କଲେ-। ଦେଶୀୟ ଜମିଦାର ଓ ରାଜାମାନଙ୍କୁ ଆୟତ୍ତ କରିବାରେ ତାଙ୍କୁ କେବଳ ଗୁମସରରେ ବହୁତ କ୍ଳେଶ ଅନୁଭବ କରିବାକୁ ପଡ଼ିଥିଲା । ତାହା ଜଣେ ଇଂରାଜୀ ଲେଖକଙ୍କଦ୍ୱାରା ନିମ୍ନଲିଖିତ ରୂପେ ବର୍ଣ୍ଣିତ ହୋଇଅଛି-

 

‘‘The country (Gumsorr) is much more extensive than that of any other of the ancient Polygars; it commences about 40 miles to the north-west of Ganjam, extending about 50 miles in that direction and 20 in breadth, It is even more impenetrable than the country of Bobbili, its forests consisting entirely of bamboos which grow closer and resist the axe and fire better than any other vegettation, relying on which the inhabitants do not think it necessary to erect redoubts for the defence of their paths but obstruct them with frequent and temporary barriers of bamboos wrought in a variety of entanglements.

 

Day by day troops were employed with excessive toil and fatigue in rooting up, cutting down and endeavouring to make their way through the forest. The whole district is esteemed one of the hottest regions of Hindustan and is peculiarly subject to strokes of the sun by which seven Europeans were in one day killed. Several barriers were forced or past and the Zemindar beginning to think himself in danger, made proposals which Mr. Bussy was equally willing to accept having lost 30 Europeans and a much greater number of Sepoys in the little progress which the army had made. The accommodation was concluded in the middle of April, 1758.’’

 

ଏଥିର ଭାବ–‘‘ଏହି ଗୁମସର ଦେଶ ଅନ୍ୟାନ୍ୟ ପୁରାତନ ରାଜ୍ୟମାନଙ୍କ ସହିତ ତୁଳନାରେ ଅତ୍ୟନ୍ତ ବିସ୍ତୃତ । ତାହା ଗଞ୍ଜାମର ଉତ୍ତରପଶ୍ଚିମ ଦିଗରେ ୪୦ ମାଇଲ ଦୂରରେ ଆରମ୍ଭ ହୋଇ ସେହି ଦିଗରେ ପ୍ରାୟ ୫୦ ମାଇଲ ଦୂର ଯାଏ ଏବଂ ପ୍ରସ୍ଥରେ ୨୦ ମାଇଲ ପର୍ଯ୍ୟନ୍ତ ବିସ୍ତୃତ ଅଟେ । ବୋବିଲି ରାଜ୍ୟ ଅପେକ୍ଷା ସୁଦ୍ଧା ଏହା ଅଧିକ ଦୁର୍ଗମ । ତାହାର ବନମାନ ଘନ ବାଉଁଶ ବୃକ୍ଷଶ୍ରେଣୀରେ ପରିପୂର୍ଣ୍ଣ, ଏହା ଅନ୍ୟାନ୍ୟ ତୃଣ ଅପେକ୍ଷା କୁଠାର ଓ ଅଗ୍ନିର ପ୍ରଭାବକୁ ଅଧିକ ସହ୍ୟ କରି ପାରେ । ଏହାର ସାହାଯ୍ୟରେ ଦେଶବାସିଗଣ ମାର୍ଗମାନ ରକ୍ଷା କରିବା ନିମନ୍ତେ କୌଣସି ବିଶେଷ କୃତ୍ରିମ ଉପାୟ ଅବଲମ୍ବନ କରିବା ଅନାବଶ୍ୟକ ମଣି କେବଳ ବାଉଁଶଗୁଡ଼ିକ ନାନାବିଧ ଆକାରରେ ବେଷ୍ଟନ କରି ବହୁ ସ୍ଥାନରେ ଅଟକ କରନ୍ତି ।

 

ଦିନକୁ ଦିନ ସୈନିକବୃନ୍ଦ ଅସାଧାରଣ ପରିଶ୍ରମ ଓ କ୍ଲାନ୍ତିସହକାରେ ବୃକ୍ଷୋତ୍ପାଟନ ଓ ଛେଦନାଦି କ୍ରିୟାଦ୍ୱାରା ନିବିଡ଼ ଅରଣ୍ୟ ମଧ୍ୟରେ ଅଗ୍ରସର ହେବାରେ ନିଯୁକ୍ତ ଥିଲେ । ସମଗ୍ର ହିନ୍ଦୁସ୍ଥାନ ମଧ୍ୟରେ ଜିଲ୍ଲାଟି ଗୋଟିଏ ଗ୍ରୀଷ୍ମପ୍ରଧାନ ପ୍ରଦେଶ ବୋଲି ପରିଗଣିତ ଅଟେ ଏବଂ ତନ୍ମଧ୍ୟରେ ତାପଜନିତ ମୂର୍ଚ୍ଛା ଅନେକଠାରେ ଘଟିଥାଏ । ଏହାରି ପ୍ରଭାବରୁ ଏକ ଦିବସ ମଧ୍ୟରେ ସାତ ଜଣ ଇଉରୋପବାସୀ କାଳଗ୍ରାସରେ ପତିତ ହୋଇଥିଲେ । ଏହିପରି ଅନେକଗୁଡ଼ିଏ ଅଟକ ଅତିକ୍ରମ କରିବା ପରେ ଜମିଦାର ନିଜକୁ ବିପଦ୍‌ଗ୍ରସ୍ତ ମନେ କରି ସନ୍ଧି ସ୍ଥାପନ କରିବାକୁ ପ୍ରସ୍ତାବ କଲେ । ବୁସି ମଧ୍ୟ ସୈନିକଗଣ କେବଳ ଅତ୍ୟଳ୍ପଦୂର ଅଗ୍ରସର ହେବାରେ ୩୦ ଜଣ ଇଉରୋପବାସୀ ଓ ତତୋଽଧିକ ସଂଖ୍ୟକ ସିପାହି ନଷ୍ଟ ହୋଇଥିବାର ଦେଖି ପ୍ରସ୍ତାବମତେ ଅଙ୍ଗୀକୃତ ହେବାକୁ ନିତାନ୍ତ ଇଚ୍ଛୁକ ଥିଲେ । ୧୭୫୮ ଖ୍ରୀଷ୍ଟାବ୍ଦ ଏପ୍ରିଲ ମାସ ମଧ୍ୟରେ ସନ୍ଧି ସ୍ଥାପିତ ହେଲା ।’’

 

ଏଥିରୁ ଗୁମସର ରାଜ୍ୟର ତତ୍କାଳୀନ ଆୟତନ, ପ୍ରକୃତିକ ଅବସ୍ଥା, ଜଳବାୟୁ ପ୍ରଭୃତି ବିଷୟ ବିଶଦରୂପେ ଜଣା ଯାଉଅଛି ।

•••

 

ପଞ୍ଚମ ଅଧ୍ୟାୟ

 

ଇଚ୍ଛାପୁର ବିଭାଗସ୍ଥ ଊନବିଂଶ ରାଜାଙ୍କ ମଧ୍ୟରେ କୃଷ୍ଣ ଭଞ୍ଜ ମହାପରାକ୍ରମଶାଳୀ ଥିଲେ-। ତାହାଙ୍କ ରାଜ୍ୟ ମଧ୍ୟରେ ଚାରି ଦୁର୍ଗ ଛଡ଼ା ଦୁଇ ଗୋଟି ସାଧାରଣ ଦୁର୍ଗ ମଧ୍ୟ (ବିଷ୍ଣୁଚକ୍ର ଓ କଟାରିକୋଟ) ବିରଜାମାନ ଥିଲା । ସର୍ଦ୍ଦାର, ପାଇକ ପ୍ରଭୃତି ପ୍ରାୟ ୧୫୦୦୦ ଜଣ ତାହାଙ୍କ ନିକଟରେ ସର୍ବଦା ଥିଲେ । ଫ୍ରେଞ୍ଚମାନଙ୍କ ପରବର୍ତ୍ତୀ ଶାସନକର୍ତ୍ତା ଇଂରେଜମାନେ ସୁଦ୍ଧା ଗୁମସର ରାଜାଙ୍କ ହେତୁରୁ ବହୁ କ୍ଳେଶ ଭୋଗ କରିଥିଲେ । ପେସକିସ୍‌ ନିୟମିତରୂପେ ଦେବାରେ ହେଳା ଦେଖି ଗଞ୍ଜାମସ୍ଥ ଇଂରେଜ ପ୍ରତିନିଧି (Resident) ଶୀଘ୍ର ବିଷ୍ଣୁଚକ୍ର ଆକ୍ରମଣ କରିବା ନିମନ୍ତେ ସୈନ୍ୟ ପ୍ରେରଣ କଲେ । ଗୁମସର ରାଜ୍ୟଠାରୁ ବିଷ୍ଣୁଚକ୍ର ଦେଇ ମରହଟ୍ଟା ଦେଶକୁ ଏକ ଗୁପ୍ତ ସଡ଼କ ଥିବାର ସମ୍ୱାଦ ପାଇ ତାହା ପ୍ରଥମେ ଆକ୍ରମଣ କରିବା ନିମନ୍ତେ ସ୍ଥିର କଲେ । କାରଣ ମରହଟ୍ଟାମାନେ ସେହି ଦିଗରେ ନିଜ ଅଧିକାର ବିସ୍ତାର କରିବାର ଆଶଙ୍କା ଥିଲା । ସୈନିକମାନେ ବିଷ୍ଣୁ ଚକ୍ରଠାରେ ୧୭୬୮ ଖ୍ରୀଷ୍ଟାବ୍ଦର ଶେଷରେ ଉପସ୍ଥିତ ହୋଇ ଦେଖିଲେ ଯେ ଦୁର୍ଗଦ୍ୱାରରେ ସପ୍ତଶତାଧିକ ପାଇକ ସୁସଜ୍ଜିତ ହୋଇ ଦଣ୍ଡାୟମାନ । ଯାହାହେଉ ଇଂରେଜ ସୈନିକଗଣ ବହୁ କ୍ଳେଶ ସହି ଯଥାସାଧ୍ୟ ଚେଷ୍ଟାରେ ଦ୍ୱାର ଭେଦି ପ୍ରବେଶ କଲେ । ଏହା ଦେଖି ରାଜା ଉପଢ଼ୌକନ ପ୍ରଦାନର ବନ୍ଦୋବସ୍ତ କରି ସେମାନଙ୍କୁ ସେହିଠାରେ ଫେରି ଯିବାକୁ ଅନୁରୋଧ କଲେ । କୃଷ୍ଣ ଭଞ୍ଜ କୃଷ୍ଣଶରଣପୁର, ବିଜେକୃଷ୍ଣଶରଣପୁର, ନାରାୟଣପୁର ପ୍ରଭୃତି ଶାସନମାନ ସ୍ଥାପନ କରିଥିଲେ । ସେ ଶ୍ରୀନାରାୟଣ ମହାପ୍ରଭୁଙ୍କ ଶ୍ରୀମୂର୍ତ୍ତି ପାଷାଣରେ ନିର୍ମାଣ କରାଇ ମନ୍ଦିରରେ ସ୍ଥାପନ କଲେ । ତନ୍ନିମିତ୍ତ ଦୁଇ ଗୋଟି ଗ୍ରାମର ଆୟ ଖର୍ଚ୍ଚସ୍ୱରୂପ ନିର୍ଣ୍ଣୟ କଲେ। ନିଜ ଗଡ଼ରେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ନିମନ୍ତେ ସୁବୃହତ୍‌ ମନ୍ଦିର ନିର୍ମାଣ କରାଇଲେ । ଏହା ଛଡ଼ା ବିଷ୍ଣୁଚକ୍ର ପ୍ରଭୃତି ସ୍ଥାନମାନଙ୍କରେ ମଧ୍ୟ ମନ୍ଦିର, ପୀଠ, ଆରାମ ପ୍ରତିଷ୍ଠା କରାଇଲେ । କୃଷ୍ଣ ଭଞ୍ଜଙ୍କର ଆଠଜଣ ମହିଷୀ ଥିଲେ । ସେ ଧରାକୋଟ, ନବଦୁର୍ଗ, ସୋରଡ଼ା, ଖିମୁଣ୍ଡି, ଖଲ୍ଲିକୋଟ ପ୍ରତ୍ୟେକ ରାଜାଙ୍କର ଏକ ଏକ କନ୍ୟାଙ୍କୁ ବିବାହ ହୋଇଥିଲେ । ରାଉତରାୟଙ୍କଠାରୁ ମଧ୍ୟ ଏକ କନ୍ୟା ଗହଣ କରିଥିଲେ ଏବଂ ଦଶପଲ୍ଲା ରାଜାଙ୍କର ଦୁଇ କନ୍ୟାଙ୍କୁ ଆଣିଥିଲେ । ଏମାନଙ୍କ ଗର୍ଭରୁ ଅନେକ ସନ୍ତାନ ଜନ୍ମିଥିଲେ । ଯଥା–

 

୧ ଧ

୨ ନ

୩ ରା

ଲକ୍ଷ୍ମୀଶରଣ

ତ୍ରବିକ୍ରମ

ଜୟମଙ୍ଗଳ

୪ ସୋ

୫ ଖି

୬ ଖ

ପଦ୍ମନାଭ

 

ହରିଶରଣ
ରାମଶରଣ

୭ ଦ୧

୮ ଦ୨

ସୀତାଚରଣ

ନୃସିଂହ

ଶିବରାମ

ହରିରୁଦ୍ର

ରଙ୍ଗନାଥ
ବିଷ୍ଣୁଚରଣ

 

ଏମାନଙ୍କ ଛଡ଼ା ଅକ୍ରୂର, ଭିକ୍ଷ, ନିମକୋଳ, ଅନାମ ପ୍ରଭୃତି ନାମରେ ମଧ୍ୟ ଅନ୍ୟ କେତେଜଣ ସନ୍ତାନ ଜାତ ହୋଇଥିଲେ । ନବଦୁର୍ଗ ରାଜାଙ୍କଠାରୁ କନ୍ୟା ଗ୍ରହଣ କରିବା ସମୟରେ କୃଷ୍ଣ ଭଞ୍ଜ ତାହାଙ୍କର ପ୍ରଥମ କୁମରଙ୍କୁ ରାଜ୍ୟାଧିକାର ଦେବା ନିମନ୍ତେ ଅଙ୍ଗୀକାର କରିଥିଲେ । ଏଣୁ ୧୭୭୩ ଖ୍ରୀଷ୍ଟାବ୍ଦରେ ତାହାଙ୍କର ମୃତ୍ୟୁ ସମୟରେ ନବଦୁର୍ଗ କନ୍ୟାଙ୍କ ଜାତ ପୁତ୍ର ତ୍ରିବିକ୍ରମ ଭଞ୍ଜଙ୍କୁ ରାଜ୍ୟଭାର ଅର୍ପଣ କରି ଇହଧାମ ତ୍ୟାଗ କଲେ ।

 

ତ୍ରିବିକ୍ରମ ଭଞ୍ଜ ଜଣେ କ୍ରୂର ଖଳ ଓ କ୍ରୋଧୀ ପୁରୁଷ ଥିଲେ । ସେ ରାଜ୍ୟ ଶାସନରେ ପ୍ରଜାପୁଞ୍ଜଙ୍କୁ ଅଶେଷ ଦଣ୍ଡ ବିଧାନ କଲେ । ଦେଶବାସିମାନେ ଭୟରେ ତ୍ରସ୍ତ ହୋଇ ସ୍ୱରାଜ୍ୟ ତ୍ୟାଗ ପୂର୍ବକ ଏଣେ ତେଣେ ପ୍ରାଣରକ୍ଷା ନିମନ୍ତେ ପଳାୟନ କଲେ । ତ୍ରିବିକ୍ରମ ଭଞ୍ଜ ସିଂହାସନାରୋହଣ କରିବା ଦିନାବଧି ୧୭୭୮ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ଇଂରେଜ ପ୍ରତିନିଧିଙ୍କୁ ଏକ ଟଙ୍କା ସୁଦ୍ଧା କର ପ୍ରଦାନ କଲେ ନାହିଁ । ସେହି ସମୟକୁ ଗୁମସର ରାଜ୍ୟର ଖଜଣା ୫୦୦୦ ଟଙ୍କା ନିର୍ଣ୍ଣୀତ ହୋଇଥିଲା । ଜ୍ୟୋଷ୍ଠ ଭ୍ରାତା ଲକ୍ଷ୍ମଣ (ଲକ୍ଷ୍ମୀଶରଣ) ଭଞ୍ଜଙ୍କ ନିମନ୍ତେ ପୃଥକ୍‍ ଦତ୍ତ ୯ ଗୋଟି ଜାଗିରି ଗ୍ରାମ ସୁଦ୍ଧା ତାହାଙ୍କୁ ପ୍ରଦାନ କଲେ ନାହିଁ । ଲକ୍ଷ୍ମଣ ଭଞ୍ଜ ସ୍ୱରାଜ୍ୟରେ ସୁଖ ଓ ଶାନ୍ତିରେ ବାସ କରିବା ସୁଦ୍ଧା ଅସମ୍ଭବ ଦେଖି ବିରକ୍ତ ହୋଇ ପୁତ୍ର ଶ୍ରୀକର ଭଞ୍ଜ ଓ ଅନ୍ୟ କେତେଜଣ ଭ୍ରାତାଙ୍କ ସଙ୍ଗେ ରୁଷ୍ଟଚିତ୍ତରେ ସେଠାରୁ ବାହାରି ଗଲେ । ଆସିକାଠାରେ ଉପସ୍ଥିତ ହୋଇ ସେଠାରେ ଇଂରେଜ କମ୍ପାନୀଙ୍କ ଭୂରକ୍ଷକ କରସୋଜୀ ଲାଲାଙ୍କୁ ଭେଟି ତାହାଙ୍କୁ ସମସ୍ତ ବିଷୟ ଅବଗତ କରାଇଲେ । ଲାଲା ମହୋଦୟ ତାହାଙ୍କୁ ସଙ୍ଗେ ଘେନି ଗଞ୍ଜାମ ଦୁର୍ଗରେ ଉପସ୍ଥିତ ହୋଇ ଲକ୍ଷ୍ମଣ ଭଞ୍ଜଙ୍କୁ ରାଜ୍ୟାଧିକାର ପ୍ରଦାନ କରିବା ନିମନ୍ତେ ଇଂରେଜ ପ୍ରତିନିଧିଙ୍କୁ ଅନୁରୋଧ କଲେ । ତ୍ରିବିକ୍ରମ ଭଞ୍ଜ ବହୁକାଳ ପର୍ଯ୍ୟନ୍ତ କର ପ୍ରଦାନ କରିବା ବନ୍ଦ ଦେଖି ଏବଂ ତାହାଙ୍କର ରାଜ୍ୟପରିପାଳନାରେ ଘୋର ଅଧର୍ମାଚରଣ ଶ୍ରବଣ କରି ଇଂରେଜ ପ୍ରତିନିଧି ଲକ୍ଷ୍ମଣ ଭଞ୍ଜଙ୍କୁ ରାଜ୍ୟାଧିକାର ଅର୍ପଣ କରିବା ନିମନ୍ତେ ସ୍ଥିର କଲେ । ସେ ମଧ୍ୟ ରାଜ୍ୟର ଖଜଣା ୬୦୦୦୦ ଟଙ୍କାକୁ ବୃଦ୍ଧି କରି ନିୟମିତ ରୂପେ ପ୍ରଦାନ କରିବାକୁ ଅଙ୍ଗୀକାର କଲେ । ଲକ୍ଷ୍ମଣ ଭଞ୍ଜ ପ୍ରତିନିଧିଙ୍କ ଆଦେଶକ୍ରମେ ତାହାଙ୍କଦ୍ୱାରା ପ୍ରେରିତ ଦଳ ବଳ ସଙ୍ଗରେ ସ୍ୱରାଜ୍ୟକୁ ଗମନ କଲେ । ତ୍ରିବିକ୍ରମ ଭଞ୍ଜ ଏହି ସମ୍ୱାଦ ପାଇବା ମାତ୍ରକେ ଯୁଦ୍ଧର ଆୟୋଜନ କଲେ । ୧୭୭୮ ଖ୍ରୀଷ୍ଟାବ୍ଦରେ ସୈନିକଗଣ ବିଷ୍ଣୁଚକ୍ର ପ୍ରଭୃତି ସ୍ଥାନ ଆକ୍ରମଣ କଲେ । ଉଭୟ ପକ୍ଷରେ ଘୋର ଯୁଦ୍ଧ ଆରମ୍ଭ ହେଲା, ଅବଶେଷରେ ତ୍ରିବିକ୍ରମ ଭଞ୍ଜ ପରାଜିତ ହୋଇ ସପରିବାରରେ ରାଜ୍ୟ ତ୍ୟାଗ କରି ଦଶପଲ୍ଲା ଓ ବୌଦ ରାଜ୍ୟରେ ଆଶ୍ରୟ ଗ୍ରହଣ କଲେ । ସୈନିକଗଣ ୧୭୭୯ ଖ୍ରୀଷ୍ଟାବ୍ଦ ଶେଷଯାଏ ଗୁମସର ରାଜ୍ୟ ମଧ୍ୟରେ ସଜ୍ଜିତ ହୋଇ ରହିଥିଲେ । କାରଣ ତ୍ରିବିକ୍ରମ ଭଞ୍ଜ ମଧ୍ୟେ ମଧ୍ୟେ ଆସି ନାନାପ୍ରକାର ଉପଦ୍ରବ ଘଟାଉଥାନ୍ତି । ଉଭୟ ପକ୍ଷରୁ ବହୁସଂଖ୍ୟକ ସିପାହି ଓ ପାଇକ ନଷ୍ଟ ହେଲେ-। ତ୍ରିବିକ୍ରମ ଭଞ୍ଜଙ୍କ ଜାନୁଦେଶରେ ଶତ୍ରୁପକ୍ଷଙ୍କ ବନ୍ଧୁକର ଗୁଳି ଭେଦିଯାଇ ତାହାଙ୍କୁ ଅଶକ୍ତ କରିଥିଲେହେଁ ଯେ କଦାପି ଧୂତ ହୋଇ ପାରିଲେ ନାହିଁ । ସେ ତହିଁ ଉତ୍ତାରେ ଫେରି ଯାଇ ବୌଦ ରାଜ୍ୟସ୍ଥିତ ସରଦାକୁଦରେ ନିଜ ପରିବାର ଓ ଅନୁଚରଗଣଙ୍କ ସଙ୍ଗେ କିଛିକାଳ ବାସ କଲେ । ବାହୁବଳ ବ୍ୟର୍ଥ ହେବାର ଦେଖି ରାଜ୍ୟଲାଭ ନିମନ୍ତେ ବନ୍ଧୁଗଣଙ୍କ ସଙ୍ଗେ ଅନ୍ୟ ଉପାୟ ଚିନ୍ତାରେ ନିମଗ୍ନ ହେଲେ । ନିଜେ ଗବର୍ଣ୍ଣର୍‌ ସାହେବଙ୍କ ସମ୍ମୁଖରେ ସମସ୍ତ ଗୁହାରି ଜଣାଇବାକୁ ସ୍ଥିର କରି ଅନୁଚରବର୍ଗଙ୍କୁ ସେଠାରେ ରଖି ମାନ୍ଦ୍ରାଜ ଅଭିମୁଖରେ ଯାତ୍ରା କଲେ । ମାର୍ଗରେ ବିଜୟନଗରଠାରେ କିଛି ଦିନ ରହି ତକ୍ରତ୍ୟ ବିଜୟରାମ ରାଜୁଙ୍କ ସହିତ ବନ୍ଧୁତା ସ୍ଥାପନ କରି ତାହାଙ୍କ ସହିତ ଯାଇ ମାନ୍ଦ୍ରାଜ ନଗରରେ ଉପସ୍ଥିତ ହେଲେ । ସେଠାରେ ଗବର୍ଣ୍ଣର ସାହେବଙ୍କ ସହିତ ସାକ୍ଷାତ୍‌ କରି ତାହାଙ୍କୁ ନାନାପ୍ରକାର ଭଲ ମନ୍ଦ ଯୁକ୍ତି ପ୍ରଦର୍ଶନ କରି ରାଜ୍ୟାଧିକାର ପୁନର୍ବାର ଦେବା ନିମନ୍ତେ ବହୁ ପ୍ରାର୍ଥନା କଲେ । ଜ୍ୟେଷ୍ଠ ପୁତ୍ର ଅକର୍ମଣ୍ୟ ଥିବା ଯୋଗୁଁ କୃଷ୍ଣ ଭଞ୍ଜ ରାଜା ତାହାଙ୍କୁ ଉପଯୁକ୍ତ ପାତ୍ର ମଣି ରାଜ୍ୟଭାର ଅର୍ପଣ କରିଥିଲେ ବୋଲି ଜଣାଇଲେ । ଯାହା ହେଉ ପରିଶେଷରେ ଗବର୍ଣ୍ଣର ସାହେବଙ୍କଠାରୁ ରାଜ୍ୟାଧିକାର ପୁନଃପ୍ରାପ୍ତ ହେଲେ । ଲକ୍ଷ୍ମଣ ଭଞ୍ଜ ସିଂହାସନରୁ ବହିଷ୍କୃତ ହେବାର ଦେଖି ଚିନ୍ତିତମାନସରେ ତାହାଙ୍କର ପୂର୍ବ ବନ୍ଧୁଙ୍କ ସହ ଗଞ୍ଜା ନଗରରେ ଉପସ୍ଥିତ ହୋଇ ଇଂରେଜ ପ୍ରତିନିଧିଙ୍କୁ ସମସ୍ତ କଥା ଜଣାଇଲେ । ଏଣେ ତ୍ରିବିକ୍ରମ ଭଞ୍ଜ ନିଜ ଖଳ ସ୍ୱଭାବରେ ବଶବର୍ତ୍ତୀ ହୋଇ ପୂର୍ବବତ୍‌ ପ୍ରଜାପୁଞ୍ଜଙ୍କର ଅସନ୍ତୋଷଭାଜନ ହେଲେ । ପୁନର୍ବାର ରାଜ୍ୟ ମଧ୍ୟରେ ଘୋର ଅଶାନ୍ତି ରାଜତ୍ୱ କଲା । କରି ମଧ୍ୟ କିଛିହିଁ ପ୍ରଦତ୍ତ ହେଲା ନାହିଁ । ଇଂରେଜ ପ୍ରତିନିଧି ତ୍ରିବିକ୍ରମ ଭଞ୍ଜଙ୍କ ଏତାଦୃଶ ଅନ୍ୟାୟାଚରଣରେ ବିରକ୍ତ ହୋଇ ସେ ରାଜ୍ୟ ପାଳନ ନିମନ୍ତେ ନିତାନ୍ତ ଅଯୋଗ୍ୟ ବୋଲି ଗବର୍ଣ୍ଣର ସାହେବଙ୍କୁ ସମ୍ୱାଦ ଦେଲେ ଏବଂ ତାହାଙ୍କ ଅନୁମତିରେ ଲକ୍ଷ୍ମଣ ଭଞ୍ଜଙ୍କୁ ଦ୍ୱିତୀୟ ବାର ୧୭୮୨ ଖ୍ରୀଷ୍ଟାବ୍ଦରେ ରାଜପଦ ପ୍ରଦାନ କଲେ । ଲକ୍ଷ୍ମଣ ଭଞ୍ଜ ପରମାନନ୍ଦରେ ଗୁମସର ରାଜ୍ୟର କର ଏକ ଲକ୍ଷ୍ୟ ଟଙ୍କା ପ୍ରଦାନ କରିବାକୁ ସମ୍ମତ ହେଲେ । ତ୍ରିବିକ୍ରମ ଭଞ୍ଜ ଗଞ୍ଜାକୁ ଆନୀତ ହେଲେ । ତାହାଙ୍କୁ ମାସିକ ଏକ ସହସ୍ର ଟଙ୍କା ଦିଆଯିବାର ନିଶ୍ଚିତ ହେଲା ଏବଂ ସେ ସପରିବାର କିଛିକାଳ ପର୍ଯ୍ୟନ୍ତ ଆଠଗଡ଼ ରାଜ୍ୟସ୍ଥିତ ତୁଙ୍କାପଡ଼ା ଗ୍ରାମରେ ବାସ କଲେ । ଏହା ପରେ ତାହାଙ୍କୁ ହିଞ୍ଜଳି ମୁଠା ପ୍ରଦାନ କରାଗଲା ଏବଂ ସେ ସେଠାରେ ଦୁର୍ଗ ନିର୍ମାଣ କରି କାଳାତିପାତ କଲେ । ଉକ୍ତ ମୁଠାର ଆୟ ୭୦୦୦ ଟଙ୍କା ଥିଲା-

 

ଲକ୍ଷ୍ମଣ ଭଞ୍ଜ ଆଜୀବନ ଇଂରେଜଙ୍କ ଅକୃତ୍ରିମ ବନ୍ଧୁ ଥିଲେ । ତାହାଙ୍କର ଭ୍ରାତା ଜୟମଙ୍ଗଳ ଭଞ୍ଜ ପ୍ରଭୃତିଙ୍କୁ ସର୍ବଦା ଆଦରପୂର୍ବକ ନିକଟରେ ରଖିଥାନ୍ତି । ସେ ସୋରଡ଼ା କୁଞ୍ଜ ସିଂହଙ୍କ କନ୍ୟାଙ୍କ ପାଣିଗ୍ରହଣ କରିଥିଲେ । ତାହାଙ୍କ ରାଜତ୍ୱ ସମୟରେ ଗୁମସରର ପ୍ରାୟ ସମସ୍ତ ପୁରାତନ ରାଜକର୍ମଚାରୀଗଣ ସ୍ଥାନ ତ୍ୟାଗ କରି ପଳାୟନ କଲେ । କେତେକ ଜଣ ତ୍ରିବିକ୍ରମ ଭଞ୍ଜଙ୍କ ନିକଟରେ ଯାଇ କାଳ ଯାପନ କଲେ । ଏଣୁ ଲକ୍ଷ୍ମଣ ଭଞ୍ଜ ଅନେକ ନୂତନ ବ୍ୟକ୍ତିଙ୍କୁ ଆଣି ନିଯୁକ୍ତ କରିଥିଲେ । ରାଜ୍ୟର ପ୍ରତ୍ୟେକ ମୁଠାକୁ ଏକ ଏକ କରଣ ସ୍ଥିର କଲେ । ଛାମୁପଟ୍ଟନାୟକ, ସୁମନ୍ତପଟ୍ଟନାୟକ, ପାଞ୍ଜିଆ ପ୍ରଭୃତି ପଦରେ ବିଭିନ୍ନ ସ୍ଥାନୀୟ ବ୍ୟକ୍ତିଙ୍କୁ ନିଯୁକ୍ତ କଲେ । ଲକ୍ଷ୍ମଣ ଭଞ୍ଜ ରାଜା ବିଜେଲକ୍ଷ୍ମୀଶରଣପୁର, ପ୍ରତାପଲକ୍ଷ୍ମଣପୁର, ବାସୁଦେବପୁର, ବୀରଲକ୍ଷ୍ମଣପୁର ପ୍ରଭୃତି ଶାସନମାନ ସ୍ଥାପନ କରିଥିଲେ । ପୁତ୍ର ଶ୍ରୀକର ଭଞ୍ଜ ଯୁବରାଜ ରୂପେ ଅଧିଷ୍ଠିତ ହୋଇଥିଲେ ସୁଦ୍ଧା ମେଦିନିରା ନାମକ ଜଣେ ନୀଚ ଜାତୀୟ ବ୍ୟକ୍ତିକୁ ପିତା ଅଯଥାଧିକାର ପ୍ରଦାନ କରିଥିବା ଯୋଗୁଁ ତାହାଙ୍କ ପ୍ରତି ବିରକ୍ତ ହୋଇ ନିକଟରୁ ପଳାୟନ କରି ଆସିକାରେ ବାସ କରୁଥିଲେ । ତାହାଙ୍କ ବ୍ୟୟାଦି ନିମନ୍ତେ ପିତା ବାମନପୁର ମୁଠାରେ ୧୨୦୦ ଟଙ୍କା ଆୟର ଭୂମି ପ୍ରଦାନ କରିଥିଲେ । ଲକ୍ଷ୍ମଣ ଭଞ୍ଜ ପ୍ରଜାଗଣଙ୍କୁ ସୁଖରେ ପାଳନ କରି ୧୭୯୦ ଖ୍ରୀଷ୍ଟାବ୍ଦରେ ମାନବଲୀଳା ସମ୍ୱରଣ କଲେ । ଏହାଙ୍କ ପରେ ମେଦିନିରା ଜୟମଙ୍ଗଳ ଭଞ୍ଜଙ୍କ ପୁତ୍ର ରଘୁନାଥ ଭଞ୍ଜଙ୍କୁ ରାଜା କରିବା ନିମନ୍ତେ ବହୁ ଚେଷ୍ଟା କଲେ ସୁଦ୍ଧା ସେ ସମସ୍ତ ବିଫଳ ହେଲା । ଶ୍ରୀକର ଭଞ୍ଜ ଅବିଳମ୍ୱେ ରାଜ୍ୟରେ ଉପସ୍ଥିତ ହୋଇ ସିଂହାସନ ଆରୋହଣ କଲେ ।

•••

 

ଷଷ୍ଠ ଅଧ୍ୟାୟ

(୧୭୯୦-୧୮୧୯)

 

ଶ୍ରୀକର ଭଞ୍ଜ ତାହାଙ୍କ ପିତା ଲକ୍ଷ୍ମଣ ଭଞ୍ଜଙ୍କ ମୃତ୍ୟୁ ପରେ ୧୭୯୦ ଖ୍ରୀଷ୍ଟାବ୍ଦରେ ସିଂହାସନାରୋହଣ କଲେ । ଧରାକୋଟର ଗୋପୀ ସିଂହଙ୍କ ଭଗିନୀଙ୍କ ସହିତ ଏହାଙ୍କର ପରିଣୟ ସମ୍ପାଦିତ ହୋଇଥିଲା । ସେ ଅନ୍ୟାନ୍ୟ କେତେକ ରାଜକନ୍ୟାଙ୍କର ମଧ୍ୟ ପାଣି ଗ୍ରହଣ କରିଥିଲେ । ରାଜା ଶ୍ରୀକର ଭଞ୍ଜ ଜଣେ ଋଷିପ୍ରକୃତି, ଧର୍ମପରାୟଣ, ପାରମାର୍ଥିକ ମହାପୁରୁଷ ଥିଲେ । ଗଞ୍ଜାମରେ ସେ ଜଣେ ରାଜର୍ଷି ବୋଲି ପରିଚିତ ଥିଲେ । ତାହାଙ୍କଦ୍ୱାରା ଲୋକହିତକର ଅନେକ କାର୍ଯ୍ୟ ସାଧିତ ହୋଇଥିଲା । ନିଜ ରାଜ୍ୟର ଭାର କେତେକ ରାଜକର୍ମଚାରୀଙ୍କୁ ଅର୍ପଣ କରିଥିବା ଯୋଗୁଁ ସେମାନଙ୍କ ଅବିଶ୍ୱାସିତା ଯୋଗୁଁ ରାଜା ଶ୍ରୀକର ଭଞ୍ଜ ବହୁ ବିପଦ୍‍ଗ୍ରସ୍ତ ହୋଇଥିଲେ । ଏଣେ ନିଜ ପୁତ୍ର ଧନଞ୍ଜୟ ଭଞ୍ଜ ତାହାଙ୍କ ବିରୁଦ୍ଧରେ କାର୍ଯ୍ୟ କରୁଥିଲେ । ରାଜ୍ୟ ମଧ୍ୟରେ ପୁତ୍ରଙ୍କଦ୍ୱାରା ବହୁ ଗଣ୍ଡଗୋଳ ଓ ଅଶାନ୍ତିର ସୂତ୍ରପାତ ହେଉଥିଲା । ରାଜା ଶ୍ରୀକର ଭଞ୍ଜ ପୁତ୍ରର ଏତାଦୃଶ ଅଧର୍ମାଚରଣ ଓ ରାଜ୍ୟର ଦୂରବସ୍ଥା ସନ୍ଦର୍ଶନରେ ଏକାବେଳକେ ବିରକ୍ତ ଓ ବିସ୍ମିତ ହୋଇ ସ୍ୱଦେଶ ପରିତ୍ୟାଗ କରି ଚିରପୋଷିତ ତୀର୍ଥ ଭ୍ରମଣୋଦ୍ଦେଶ୍ୟରେ ୧୮୦୮ ଖ୍ରୀଷ୍ଟାବ୍ଦରେ ଅଗ୍ରସର ହେଲେ-

 

ଧନଞ୍ଜୟ ଭଞ୍ଜ ସମସ୍ତ ପ୍ରଦେଶ କରଗତ କରି ସାନନ୍ଦରେ ଶାସନ କରିବାକୁ ଲାଗିଲେ-। କିନ୍ତୁ ରାଜ୍ୟ ଶାସନରେ ତାହାଙ୍କର ବିଶେଷ ବିଶୃଙ୍ଖଳା ଓ ଅନ୍ୟାୟ ଦେଖାଗଲା । ପର ଦେଶ ଲୁଣ୍ଠନ ଓ ପର ଦ୍ରବ୍ୟାପହରଣ ତାହାଙ୍କର ରାଜ୍ୟ ଶାସନର ମୂଳମନ୍ତ୍ର ଥିଲା । ଦୁର୍ବୈବବଶତଃ ଦିନକୁ ଦିନ ରାଜା ଧନଞ୍ଜୟ ନାନାବିଧ ଅଧର୍ମ ଓ କୁତ୍ସିତ କର୍ମମାନଙ୍କରେ ପ୍ରବୃତ୍ତ ହେଲେ- ଇନ୍ଦ୍ରିୟ ପରିତୃପ୍ତିକୁ ଜୀବନର ମୁଖ୍ୟ ବ୍ରତ କରି ଦୁର୍ଗ ମଧ୍ୟରେ ସର୍ବଦା ଅସଂଖ୍ୟ ମହିଳାଗଣଙ୍କ ସହିତ କାଳ କଟାଇବାକୁ ଲାଗିଲେ । କ୍ରମେ କ୍ରମେ ଏ ସମସ୍ତ ଏକପ୍ରକାର ବାତୁଳତାରେ ପରିଣତ ହେଲା । ଏହି ରାଜବଂଶର ଦେବୀ ଉପାସନା ପ୍ରଧାନ ଧର୍ମ ଥିଲା । ରାଜା ଧନଞ୍ଜୟ ପାରଳାନିବାସୀ କୌଣସି ଏକ ବ୍ରାହ୍ମଣଙ୍କ ନିକଟରୁ ଶିକ୍ଷା ଗ୍ରହଣ କରି ମନ୍ତ୍ର ସାଧନ କରୁ କରୁ ବାତୁଳ ହୋଇଥିବାର କଥିତ ଅଛି । ଯାହାହେଉ ଧନଞ୍ଜୟଙ୍କ ଜନ୍ମ ସଙ୍ଗେ ସଙ୍ଗେ ଦୁର୍ବୁଦ୍ଧି ଅଙ୍କୁରି ଉଠିଥିବାର ଦେଖାଯାଏ । ସେ ସ୍ୱେଚ୍ଛାକ୍ରମେ ରାଜ୍ୟର ଅନେକ ନର ନାରୀଙ୍କୁ ବନ୍ଦି କରି ପରିଶେଷରେ ପ୍ରାଣଦଣ୍ଡ ବିଧାନ କରିଥିଲେ । କେତେକ ଜଣଙ୍କୁ ଅନାହାରରେ ନିହତ କଲେ । ଏହା ଛଡ଼ା ନାନାପ୍ରକାର ଅବର୍ଣ୍ଣନୀୟ ଉପାୟମାନ ଅବଲମ୍ୱନ କରି ଅନେକ ଦେଶବାସିଙ୍କର ଅମୂଲ୍ୟ ପ୍ରାଣ ସଂହାର କଲେ । ପରିଶେଷରେ ନିଜର ମାତା, ପତ୍ନୀ ଓ ସନ୍ତାନଗଣଙ୍କୁ ସୁଦ୍ଧା କାରାରୁଦ୍ଧ କରି ସ୍ୱହସ୍ତରେ ସେମାନଙ୍କୁ ବଧ କରିଥିବାର କଥିତ ଅଛି । ଜଣେ ଇଂରେଜ ଲେଖକଙ୍କ ନିମ୍ନଲିଖିତ ପଂକ୍ତିଗୁଡ଼ିକରୁ ଧନଞ୍ଜୟ ଭଞ୍ଜଙ୍କର ଉତ୍ତମ ପରିଚୟ ମିଳେ-

 

‘‘There can be but little doubt however that Dhananjaya Bhunj was guilty of the most atrocious and inhuman crimes. Amongst others he was charged with murdering his mother and his own son besides three out of four of his wives. Colonel Fletcher who commanded the troops against him and whom he had attempted to bribe with a sum of Rs 7000 calls him ‘That tyrannous monster, the bare recital of whose fiendish acts makes humanity shudder ! In the gloomy fort at Kullada he appears to have been in the habit of immuring prisoners who had excited his vengeance and unfortunate women, the victims of his lust and starving them to death by slow degrees. Some he confined in stocks, whilst he bent the hands of others with heavy stones or tied them to stakes and left them to a lingering death.” ଏହାର ଭାବ ଏହି ଧନଞ୍ଜୟ ଭଞ୍ଜ ଗୁରୁତର ଓ ଅମାନୁଷିକ ପାପ କର୍ମରେ ଦୋଷୀ ଥିଲେ, ଏ ବିଷୟରେ କିଛି ହିଁ ସନ୍ଦେହ ନାହିଁ । ଅନ୍ୟାନ୍ୟ ପାପାଚରଣ ମଧ୍ୟରେ ସେ ତାହାଙ୍କର ଚାରି ଜଣ ପତ୍ନୀଙ୍କ ମଧ୍ୟରୁ ତିନି ଜଣଙ୍କୁ ଏବଂ ନିଜର ମାତା ଓ ପୁତ୍ରଙ୍କୁ ବଧ କରିଥିଲେ ବୋଲି ଅଭିଯୁକ୍ତ ହୋଇଥିଲେ । ସେନାପତି ଫ୍ଳେଚର ସାହେବ ତାହାଙ୍କ ବିରୁଦ୍ଧରେ ସୈନ୍ୟ ଚାଳନା କରିଥିଲେ ଏବଂ ସେ ତାହାଙ୍କୁ ସପ୍ତସହସ୍ର ଟଙ୍କା ଉତ୍କୋଚ ପ୍ରଦାନ କରି କରଗତ କରିବାକୁ ଚେଷ୍ଟା କରିଥିଲେ । ସେହି ସେନାପତି ଫ୍ଳେଚର ସାହେବ ତାହାଙ୍କୁ ଲକ୍ଷ୍ୟ କରି କହିଅଛନ୍ତି- ‘‘ସେହି କ୍ରୂର ରାକ୍ଷସର ପୈଶାଚିକ କର୍ମମାନଙ୍କର କେବଳ ଆବୃତ୍ତିକରଣରେ ମାନବ ହୃଦୟ କମ୍ପିତ ହୁଏ ।’’ କୁଲାଡ଼ସ୍ଥିତ ଭୟାନକ ଦୁର୍ଗ ମଧ୍ୟରେ ସେ ତାହାଙ୍କର ଈର୍ଷା ଜନ୍ମାଇଥିବା ବ୍ୟକ୍ତିମାନଙ୍କୁ ଓ ତାହାଙ୍କର ଲାଳସା ତୃପ୍ତିର ଉପକରଣସ୍ୱରୂପ ହତଭାଗିନୀ ରମଣୀଗଣଙ୍କୁ କାରାବଦ୍ଧ କରି ଅନାହାରରେ ପ୍ରାଣ ବିନାଶ କରୁଥିବାର ଜଣା ଯାଇଅଛି । କେତେକ ବ୍ୟକ୍ତିଙ୍କୁ ସେ ପାଦବନ୍ଧୀରେ ଆବଦ୍ଧ କରି ଏବଂ କେତେକ ଜଣଙ୍କର ହସ୍ତମାନ ସୁବୃହତ୍‍ ପ୍ରସ୍ତରମାନଙ୍କର ଗୁରୁଭାରରେ ନୁଆଁଇ ଦେଇ ଅଥବା ସେମାନଙ୍କୁ ଶୁଳିରେ ବନ୍ଧନ କରି କ୍ରମଶଃ ମୃତ୍ୟୁମୁଖରେ ନିକ୍ଷେପ କରୁଥିଲେ ।

 

ଦେଶବାସୀ ପ୍ରଭୃତିଙ୍କଦ୍ୱାରା ଏହିପରି ଧନଞ୍ଜୟଭଞ୍ଜ ଅଭିଯୁକ୍ତ ହେବାରୁ ତାଙ୍କର ବିଚାର ନିମନ୍ତେ ମାଜିଷ୍ଟ୍ରେଟ ସାହେବ ବନ୍ଦୋବସ୍ତ କଲେ । ଏଥି ମଧ୍ୟରେ ରାଜ୍ୟର କର ମଧ୍ୟ ଦିଆ ନ ଯିବାରୁ ତନ୍ନିମିତ୍ତ ଗଞ୍ଜାମରୁ ଅନେକ ଥର ପାଇକମାନେ ପ୍ରେରିତ ହେଲେ । ମାତ୍ର ରାଜା ଧନଞ୍ଜୟ ସମସ୍ତଙ୍କୁ ନିଜ ଦୁର୍ଗର ବାହ୍ୟ ସୀମା ଡେଇଁ ଯିବାକୁ ସୁଦ୍ଧା ଅନୁମତି ନ ଦେଇ ବିତାଡ଼ିତ କଲେ । କଲେକ୍ଟର ଓ ମାଜିଷ୍ଟ୍ରେଟ ସାହେବ ସେମାନଙ୍କ ଆଜ୍ଞାପତ୍ର ରାଜାଙ୍କଦ୍ୱାରା ଏରୂପେ ଅବମାନିତ ହେବା ପରେ ରାଜ୍ୟର ଘୋର ଅଶାନ୍ତିକର ଅବସ୍ଥା ହୃଦୟଙ୍ଗମ କରି ଗବର୍ଣ୍ଣର ସାହେବଙ୍କ ଅନୁମତିରେ ସମରସଜ୍ଜା କଲେ । Colonel Fletcher ସେନାଧ୍ୟକ୍ଷ ରୂପେ ନିଯୁକ୍ତି ହୋଇ ଗୁମସରକୁ ସୈନିକଗଣଙ୍କୁ ଚଳାଇ ନେଲେ । ୧୮୧୫ ଖ୍ରୀଷ୍ଟାବ୍ଦ ମେ ମାସ ୨୦ ତାରିଖରେ ସୈନିକଗଣ ନିର୍ବିଘ୍ନରେ ଯାଇ କୁଲାଡ଼ ଦୁର୍ଗ ଆକ୍ରମଣ କଲେ । ୨୧ ତାରିଖରେ ଘୋଷଣା ଦ୍ୱାରା ପ୍ରଚାରିତ ହେଲା ଯେ ଗୁମୁସର ରାଜ୍ୟ ବିଶେଷ କାରଣରୁ ଗବର୍ଣ୍ଣମେଣ୍ଟଙ୍କ ଅଧୀନ ହେଲା । ଏହା ଦେଖି ରାଜା ଧନଞ୍ଜୟ ଭଞ୍ଜ ଦୁର୍ଗରୁ ପଳାୟନ କରି ରାଜ୍ୟାଭ୍ୟନ୍ତରରେ ପ୍ରବେଶ କଲେ । ପ୍ରଥମେ ଗାଲେରିଠାରେ ଉପସ୍ଥିତ ହୋଇ ସେଠାରୁ ଯାଇ କେରାଣ୍ଡିଖୋଲରେ କିଛିକାଳ ଅବସ୍ଥାନ କଲେ । ସୈନିକଗଣ ତାହାଙ୍କୁ ଧରି ନେବା ଇଚ୍ଛାରେ ପଶ୍ଚାତ୍‍ ଧାବମାନ ହେବାରୁ ଜୀରାଙ୍ଗ ଘାଟିରେ ଯାଇ ପ୍ରବେଶ କଲେ । ରାଜା ଧନଞ୍ଜୟ ଧୃତ ହୋଇ ନ ପାରିବାର ଦେଖି ସୈନିକଗଣ ଫେରି ଗଲେ ଏବଂ ଦୁର୍ଗରେ ଅସଂଖ୍ୟ ହତଭାଗ୍ୟ କାରାବଦ୍ଧ ନରନାରୀମାନଙ୍କୁ ମୁକ୍ତି ପ୍ରଦାନ କରି ଜୁନ ମାସରେ ସ୍ୱସ୍ଥାନକୁ ପ୍ରତ୍ୟାବର୍ତ୍ତନ କଲେ । କଲେକ୍ଟର ସାହେବ ଏହା ପରେ ନିଜ ଦଳବଳ ସହିତ ଆସି ପାଇଲିପଡ଼ାଠାରେ ଉପସ୍ଥିତ ହେଲେ । ରାଜ୍ୟର ସମସ୍ତ କାର୍ଯ୍ୟ, କରଣ, ମୁସ୍ତାଜରମାନଙ୍କୁ ଡକାଇ ସେଠାରେ ନିଜେ ଜମାବନ୍ଦି କରାଇବାର ବନ୍ଦୋବସ୍ତ କଲେ । ଫେରାଇ ଆଣିବା ସକାଶେ ଧନଞ୍ଜୟ ଭଞ୍ଜଙ୍କ ନିକଟକୁ ଦୂତ ପ୍ରେରଣ କଲେ । ସେ ସମ୍ମତ ହୋଇ ସାକ୍ଷାତ୍‍ ନିମନ୍ତେ ବିଞ୍ଚଣା ଗ୍ରାମରେ ଆସି ପହୁଞ୍ଚିଲେ । ସମ୍ୱାଦ ପାଇବା ମାତ୍ରକେ କଲେକ୍ଟର ସାହେବ ଆସି ରାଜାଙ୍କୁ ସେହିଠାରେ ଭେଟିଲେ । ତାହାଙ୍କୁ ପାଇଲିପଡ଼ାଠାକୁ ଆସି ସବିଶେଷ କଥୋପକଥନ କରିବା ନିମନ୍ତେ ଅନୁରୋଧ କରିବାରୁ ରାଜା ଚିନ୍ତିତ ମାନସରେ ଭୋଜନପରେ ସେଠାକୁ ଯିବାର ଇଚ୍ଛା ସାହେବଙ୍କୁ ଜଣାଇଲେ । ସାହେବ ତାହାଙ୍କର ଜଣେ ନିମ୍ନ କର୍ମଚାରୀଙ୍କୁ ବିଞ୍ଚଣାରେ ରାଜାଙ୍କ ନିକଟରେ ରଖାଇ ଦେଇ ଫେରି ଗଲେ । ରାଜା ଭୋଜନ ସାରି ସାହେବଙ୍କ ନିକଟକୁ ଯିବା ବିପଜ୍ଜନକ ମନେ କରି ଗୁପ୍ତଭାବରେ ସେହି ସ୍ଥାନରୁ ପଳାୟନ କରିବା ନିମନ୍ତେ ଚେଷ୍ଟା କଲେ । ନିଜର ସୁରେଖା ନାମ୍ନୀ ଘୋଟକୀ ଆରୋହଣପୂର୍ବକ ଗମନୋଦ୍ୟମ କରିବା ସମୟରେ ସାହେବଙ୍କର ସେହି ନିମ୍ନକର୍ମଚାରୀ ହଠାତ୍ ଆସି ଲଗାମ ଧରି ଅବରୋଧ କଲେ । ତହିଁ ଉତ୍ତାରୁ ପାଇଲିପଡ଼ାକୁ ଧରି ନେଇ ସାହେବଙ୍କୁ ସମସ୍ତ ବୃତ୍ତାନ୍ତ ଜଣାଇଲେ । ରାଜା ଧନଞ୍ଜୟ ଏପରି ଧୃତ ହୋଇ ଗଞ୍ଜାମ ଦୁର୍ଗକୁ ପ୍ରେରିତ ହେଲେ ଏବଂ ସେଠାରେ କାରାବାସରେ ରହିଲେ । ତାହାଙ୍କର ଏତାଦୃଶ ଆଚରଣ ସାହେବ ଗବର୍ଣ୍ଣର ପ୍ରଭୃତି କର୍ତ୍ତୃପକ୍ଷଙ୍କୁ ଅବଗତ କରାଇ କଠୋର ଦଣ୍ଡବିଧାନର ଅନୁମତି ପ୍ରାପ୍ତ ହେଲେ ।

 

ଶ୍ରୀକର ଭଞ୍ଜ ରାଜା ତୀର୍ଥଭ୍ରମଣରେ ପ୍ରବୃତ୍ତ ହୋଇଥିବାର ପୂର୍ବେ ଉଲ୍ଲିଖିତ ହୋଇଅଛି-। ଏଥି ମଧ୍ୟରେ ସେ ବହୁବର୍ଷବ୍ୟାପୀ ଭ୍ରମଣଦ୍ୱାରା ସମଗ୍ର ଭାରତବର୍ଷର ପବିତ୍ର ତୀର୍ଥସ୍ଥାନମାନ ଦର୍ଶନ କରି ସାରିଥିଲେ । କାଶୀ, ପ୍ରୟାଗ, ଅଯୋଧ୍ୟା, ଚିତ୍ରକୂଟ, ଦ୍ୱାରକା, ବଦରିକାଶ୍ରମ ପ୍ରଭୃତି ସ୍ଥାନମାନଙ୍କୁ ଯାଇ ରୀତିମତେ ଧନଦାନ କରି ଦେବ ଦର୍ଶନ କଲେ । ଏହା ପରେ ଉତ୍ତର ଓ ପଶ୍ଚିମର ତୀର୍ଥସ୍ଥଳ ସମସ୍ତ ସନ୍ଦର୍ଶନ କରି ଦକ୍ଷିଣରେ ପହୁଞ୍ଚିଲେ । ସେତୁବନ୍ଧ ରାମେଶ୍ୱର, ଶ୍ରୀରାମନାଥ ପ୍ରଭୃତି ସେହି ଅଞ୍ଚଳର ପବିତ୍ର ସ୍ଥାନମାନ ଦେଇ ଆସି ମାନ୍ଦ୍ରାଜନଗରରେ ଉପନୀତ ହେଲେ । ବିପୁଳରାଜସମ୍ପତ୍ତି ଓ ବିଳାସ ବାସନା ତୁଚ୍ଛ ଜ୍ଞାନ କରି ନିଜର ଦେବସୁଲଭ ଧାର୍ମିକ ଓ ସରଳ ସ୍ୱଭାବ ଅନୁଯାୟୀ କେବଳ କୌପୀନ ଧାରଣପୂର୍ବକ ବୈରାଗୀ ବେଶରେ ବହୁ ଶ୍ରମ ସ୍ୱୀକାର କରି ପଦବ୍ରଜରେ ଏକମାତ୍ର ଅନନ୍ତ ପରମେଶ୍ୱରଙ୍କୁ ସମ୍ୱଳ ମନେ କରି ସମଗ୍ର ଭାରତର ତୀର୍ଥସ୍ଥାନମାନ ସନ୍ଦର୍ଶନ କରିବା ତାହାଙ୍କର ଚିରପୋଷିତ ବାଞ୍ଛା ପ୍ରାୟ ସାତ ବର୍ଷ କାଳରେ ଚରିତାର୍ଥ କରି ପାରିଲେ । ଏଥିଯୋଗୁଁ ସେ ‘ରାଜଷ ବା ମହନ୍ତରାଜନ’ ବୋଲି ଦେଶ ମଧ୍ୟରେ ପରିଚିତ ଥିଲେ । ବିଦେଶ ଭ୍ରମଣଦ୍ୱାରା ଶ୍ରୀକର ଭଞ୍ଜ ନାନା ସ୍ଥାନରେ ଉତ୍ତମ ଦୃଶ୍ୟ, ସୌନ୍ଦର୍ଯ୍ୟ, ବିଭିନ୍ନ ଜାତିମାନଙ୍କର ଆଚାର ବ୍ୟବହାର, ରୀତି ନୀତି ପ୍ରଭୃତି ବିଷୟ ଉପଯୁକ୍ତରୂପେ ହୃଦୟଙ୍ଗମ କରିବାକୁ ଅବସର ପାଇ ନିଜେ ବହୁଦୂର ପର୍ଯ୍ୟନ୍ତ ଶିକ୍ଷା ପ୍ରାପ୍ତ ହୋଇଥିଲେ । ମାନ୍ଦ୍ରଜ ନଗରରେ ପ୍ରବେଶ କରି ଗବର୍ଣ୍ଣରଙ୍କ ସହିତ ସାକ୍ଷାତ୍‍ କରି ନିଜର ପରିଚୟ ପ୍ରଦାନପୂର୍ବକ ସମସ୍ତ ବିଷୟ ସବିଶେଷ ଜଣାଇଲେ । କଥିତ ଅଛି, ସାହେବ ମହୋଦୟଙ୍କର ସର୍ପଦଂଶନ ଯୋଗୁଁ ମୃତ ସନ୍ତାନ ଜଣକୁ ରାଜା ଶ୍ରୀକର ଭଞ୍ଜ ନିଜ ମନ୍ତ୍ର ପ୍ରୟୋଗଦ୍ୱାରା ପୁନର୍ଜୀବନ ଦାନ କରିଥିଲେ । ଏହି ଘଟନାଦ୍ୱାରା ଗବର୍ଣ୍ଣର ମହୋଦୟ ରାଜାଙ୍କ ପ୍ରତି ବିଶେଷ ସନ୍ତୁଷ୍ଟ ହୋଇ ତାହାଙ୍କ ପ୍ରାର୍ଥନାନୁସାରେ ସ୍ୱରାଜ୍ୟକୁ ନିର୍ବିଘ୍ନରେ ଫେରିଯିବାକୁ ଓ ଦେଶ ବିଦେଶ ଭ୍ରମଣ କରିବାକୁ ଅନୁମତିପତ୍ର ପ୍ରଦାନ କଲେ । ପ୍ରକାଶ ଥାଉ କି ସେ ଏହି ସମୟରେ ସମ୍ପୂର୍ଣ୍ଣ ଗୁମସର ରାଜ୍ୟର ଭାର ପାଇବା ନିମନ୍ତେ ଇଚ୍ଛା କରିଥିଲେ ସହଜରେ ପାଇ ପାରିଥାନ୍ତେ, କିନ୍ତୁ ସେ କଦାପି ତାହା ପ୍ରତି ମନ ବଳାଇ ନ ଥିଲେ-। ଲାଟ ସାହେବ ମହୋଦୟଙ୍କ ନିକଟରୁ ବିଦାୟ ଗ୍ରହଣ କରି ନିଜ ଭାଗିନେୟ ସୁରଙ୍ଗୀ ରାଜାଙ୍କ ସହିତ ଦୁଇ ମାସ କାଳ ଯାପନ କଲେ । ସେହିଠାରୁ ଗଞ୍ଜାମରେ ପ୍ରବେଶ କରି କଲେକ୍ଟର ପ୍ରଭୃତି ସାହେବଙ୍କ ସହିତ ସାକ୍ଷାତ୍‍ କରି ସେମାନଙ୍କ ଅନୁରୋଧରେ ଉକ୍ତ ସ୍ଥାନରେ କିଛିକାଳ ଅବସ୍ଥାନ କଲେ, ତହିଁ ଉତ୍ତାରୁ ଯାଇ ନବଦୁର୍ଗର ମାନଧାତାଙ୍କ ସହିତ କିଛିକାଳ କଟାଇଲେ । ଏହା ପରେ ଖଣ୍ଡପଡ଼ା, ଦଶପଲ୍ଲା, ବୌଦ ପ୍ରଭୃତି ରାଜ୍ୟ ଭ୍ରମଣ କରି ସାରି କେନ୍ଦୁଝରରେ ଚତୁର୍ମାସ୍ୟା କଟାଇବାକୁ ଲାଗିଲେ । ଏହି ସମୟରେ ଧନଞ୍ଜୟ ଭଞ୍ଜ ଗଞ୍ଜାମ ଦୁର୍ଗରେ କାରାରୁଦ୍ଧ ହେଲେ । ଇଂରେଜ କର୍ତ୍ତୃପକ୍ଷ ଶ୍ରୀକର ଭଞ୍ଜଙ୍କ ନିକଟକୁ ଦୂତ ପ୍ରେରଣ କରି ତାହାଙ୍କୁ ଘେନି ଆସିଲେ ଏବଂ ତାହାଙ୍କୁ ମଧ୍ୟ ସେଠାରେ ରଖିଲେ । ପିତା ପୁତ୍ର ଦୁହେଁ ଏପରି କିଛିକାଳ ଶୋଚନୀୟ ଅବସ୍ଥାରେ ଗଞ୍ଜାମରେ ଦିନାତିପାତ କଲେ । ଏହା ପରେ ଗବର୍ଣ୍ଣର ସାହେବଙ୍କ ନିକଟକୁ ଆବେଦନପତ୍ର ପ୍ରେରଣ କରିବାରୁ ସେ ମହୋଦୟ ଉଭୟଙ୍କ ବିଷୟ ଉତ୍ତମରୂପେ ଅନୁସନ୍ଧାନ କରି ମୀମାଂସା କରିବା ନିମନ୍ତେ ଟ୍ରାବର୍ଶ ସାହେବଙ୍କୁ (Mr. Travers) ମାଜିଷ୍ଟ୍ରେଟ ପଦରେ ନିଯୁକ୍ତ କଲେ । ସେ ଗୁମସରରେ ପ୍ରବେଶ କରି ସ୍ଥାନୀୟ ଅନୁସନ୍ଧାନଦ୍ୱାରା ଧନଞ୍ଜୟ ଭଞ୍ଜଙ୍କ ନାମରେ ହୋଇଥିବା ସମସ୍ତ ଅଭିଯୋଗର ପ୍ରମାଣ କେତେଦୂର ପର୍ଯ୍ୟନ୍ତ ପାଇଲେ ।

 

ଏହି ସମୟରେ (୧୮୧୫ ଖ୍ରୀଷ୍ଟାବ୍ଦରେ) ଗଞ୍ଜାମ ନଗରରେ ଘୋର ଭୟାନକ ମାରୀଭୟ ଉପସ୍ଥିତ ହେଲା, ସଂକ୍ରମକ ଜ୍ୱରାଦି ରୋଗରେ ବହୁସଂଖ୍ୟକ ନଗରବାସୀ ମୃତ୍ୟୁମୁଖରେ ପତିତ ହେଲେ । ଦୁର୍ଗସ୍ଥିତ ଇଂରାଜ କର୍ମଚାରୀଗଣଙ୍କ ମଧ୍ୟରୁ ସୁଦ୍ଧା କେତେକ ଜଣ ନଷ୍ଟ ହେବାରୁ ସମସ୍ତ ସୈନିକଗଣ ବ୍ରହ୍ମପୁରକୁ ସ୍ଥାନାନ୍ତରିତ ହେଲେ । ସରକାରୀ କାର୍ଯ୍ୟାଳୟମାନ ମଧ୍ୟ ସେହି ସ୍ଥାନକୁ ଉଠି ଆସିଲା । ଶ୍ରୀକର ଓ ଧନଞ୍ଜୟ ଭଞ୍ଜ ଉଭୟେ ଏଥିସଙ୍ଗେ ସେଠାକୁ ଆନୀତ ହୋଇଥିଲେ ।

 

ଧନଞ୍ଜୟ ଭଞ୍ଜ ବ୍ରହ୍ମପୁରରେ ଥାଇ ଗୁପ୍ତଚରମାନଙ୍କଦ୍ୱାରା ସ୍ୱରାଜ୍ୟକୁ ନାନାବିଧ ସମ୍ୱାଦ ଦେଇ ପୁନଃ ପୁନଃ ପ୍ରଜାପୁଞ୍ଜଙ୍କ ମେଳି ଘଟାଇ ଘୋର ଗଣ୍ଡଗୋଳର ସୂତ୍ରପାତ କରିଥିଲେ । ରାଜ୍ୟର ସେନାଧ୍ୟକ୍ଷଗଣ ମାଳକନ୍ଦମାନଙ୍କୁ ସଙ୍ଗେ ଘେନି ଗ୍ରାମ ଲୁଣ୍ଠନ, ଦହନ, ହତ୍ୟାଦି କାଣ୍ଡମାନ କରିବାକୁ ଲାଗିଲେ । ରାଜସ୍ୱ ସଂଗ୍ରହ ବିଷୟରେ ସରକାରୀ କର୍ମଚାରୀଙ୍କୁ ସୁଦ୍ଧା ବହୁ ବିପଦ ଘଟାଇବାରୁ ସେମାନେ ଭୟରେ ପଳାୟନ କଲେ । କଲେକ୍ଟର ସାହେବ ସମସ୍ତ ସମ୍ୱାଦ ପାଇ ଆସିକାଠାରେ ଉପସ୍ଥିତ ହେଲେ, ଅନୁସନ୍ଧାନ ଦ୍ୱାରା ଗଣ୍ଡଗୋଳର ପ୍ରକୃତ କାରଣ ବୁଝି ପାରିଲେ, ରାଜା ଧନଞ୍ଜୟ ଭଞ୍ଜଙ୍କ କୁପ୍ରବର୍ତ୍ତନା ଯୋଗୁଁ ସମସ୍ତ ବ୍ୟାପାର ସଂଘଟିତ ହେଉଥିବାର ଜାଣିଲେ । ଗବର୍ଣ୍ଣର ସାହେବଙ୍କୁ ଏହା ଅବଗତ କରାଇ ତାହାଙ୍କ ଅନୁମତିରେ ଧନଞ୍ଜୟ ଭଞ୍ଜଙ୍କୁ ବ୍ରହ୍ମପୁରଠାରୁ ଅନ୍ତର କରି ଚେଙ୍ଗଲପଟ୍ (Chengulput) ନଗରରେ ରଖିଲେ । ଏଥି ମଧ୍ୟରେ ରାଜ୍ୟର କେତେକ ପ୍ରଧାନ ବ୍ୟକ୍ତି ଜଣେ ରାଜକନ୍ୟାଙ୍କୁ ପୁରୁଷ ବଶରେ ସଜ୍ଜିତ କରି ଧନଞ୍ଜୟ ଭଞ୍ଜଙ୍କ ପୁତ୍ର ବଳଭଦ୍ର ଭଞ୍ଜ ବୋଲି ପରିଚୟ ଦେଇ ଇଂରେଜ କର୍ତ୍ତୃପକ୍ଷଙ୍କୁ ଦୁଇବର୍ଷ ପର୍ଯ୍ୟନ୍ତ ପ୍ରତାରଣା କଲେ । ପ୍ରକୃତରେ ବଳଭଦ୍ର ଭଞ୍ଜ ଏଥିପୂର୍ବେ ହତ ହୋଇଥିବାର କଥିତ ଅଛି । କୃତ୍ରିମ ବଳଭଦ୍ର ଅବଳା ହୋଇ ସୁଦ୍ଧା ବୀରବେଶ ଧାରଣ ପୂର୍ବକ କୌଶଳ ସହକାରେ ଅଶ୍ୱାରୋହଣ କରି ଇତସ୍ତତଃ ବିଚରଣ କରୁଥିଲେ । ଏହି କାରଣରୁ ଅନେକଙ୍କ ହୃଦୟରେ କିଛି ମାତ୍ର ସନ୍ଦେହ ସ୍ଥାନ ପାଇ ନ ଥିଲା । ଶ୍ରୀକର ଭଞ୍ଜ ବ୍ରହ୍ମପୁରଠାରେ ଥାଇ ଦିନେ ମନେ ମନେ ଚିନ୍ତା କଲେ, ‘‘ଆମ୍ଭେ ଏହି ସ୍ଥାନରେ ଏବଂ ଆମ୍ଭର ପୁତ୍ର ବହୁ ଦୂର ବିଦେଶରେ ଦୁହେଁ ଆବଦ୍ଧ ରହିଲୁଁ । ଏହି ସମୟରେ ସ୍ୱରାଜ୍ୟ ବିଷୟରେ ପ୍ରାଣପଣେ ଚେଷ୍ଟା ନ କଲେ ଆମ୍ଭର ଅମୂଲ୍ୟ ରାଜ୍ୟ ଓ ସ୍ୱବଂଶ ଲୁପ୍ତ ହେବାର ସମ୍ଭାବନା, ଏଣୁ ଅବିଳମ୍ୱେ ଏହିଠାରୁ ମୁକ୍ତି ପାଇବାର ଉପାୟ ଅବଲମ୍ୱନ କରିବା ଶ୍ରେୟସ୍କର ।’’ ନିଜ ଅନୁଚରଗଣଙ୍କ ସଙ୍ଗରେ ଏକ ନିଶା ମଧ୍ୟରେ (୧୮୧୮ ଖ୍ରୀଷ୍ଟାବ୍ଦ) କୌଶଳରେ ସେହିଠାରୁ ବହିର୍ଗତ ହୋଇ ଗୁପ୍ତଭାବରେ ଯାଇ କେରାଣ୍ଡିଖୋଲରେ ଉପସ୍ଥିତ ହେଲେ । ସେହିଠାରେ ଏକସପ୍ତାହ ପର୍ଯ୍ୟନ୍ତ ଲୁଚି ରହି ନିଜ ରାଜ୍ୟର ପ୍ରଧାନ ପଧାନ ବ୍ୟକ୍ତିଙ୍କୁ ସମ୍ୱାଦ ଦେଲେ, ସେମାନେ ମଧ୍ୟ ସମ୍ୱାଦ ପାଇବା ମାତ୍ରକେ ଗୁପ୍ତଭାବରେ ସଦଳରେ ଯାଇ ଶ୍ରୀକର ଭଞ୍ଜଙ୍କୁ ନିଶା ମଧ୍ୟରେ କୁମସର ରାଜ୍ୟକୁ ଘେନି ଆସିଲେ । ରାଜା ଶ୍ରୀକର ଭଞ୍ଜ ସ୍ୱରାଜ୍ୟରେ ଉପନୀତ ହୋଇ ଦେଖିଲେ ଯେ ବଳଭଦ୍ର ଭଞ୍ଜ ନାମକ ଜଣେ ଧନଞ୍ଜୟ ଭଞ୍ଜଙ୍କ ପୁତ୍ରସ୍ୱରୂପେ ସ୍ଥାପିତ ହୋଇଥିଲେ । ଶ୍ରୀକର ଭଞ୍ଜ ସୁଦ୍ଧା କିଛିଦିନ ପର୍ଯ୍ୟନ୍ତ ପ୍ରକୃତ କଥା ଜାଣି ପାରି ନ ଥିଲେ । ସେ ରାଜ୍ୟସ୍ଥିତ ସମସ୍ତ ପ୍ରଧାନ ପ୍ରଧାନ ବ୍ୟକ୍ତିଙ୍କୁ ଘେନି ନାନା ଉପାୟ ଚିନ୍ତା କରୁଥିଲେ । ଦିନେ ଏକାଦଶୀ ତିଥିରେ ସେ ଆସୀନ ହୋଇ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ପ୍ରସାଦ ସେବନ କରୁଥିଲେ । ପାର୍ଶ୍ୱରେ ବଳଭଦ୍ର ଭଞ୍ଜ ଦଣ୍ଡାୟମାନ ଥିବାର ଦେଖି ତାହାଙ୍କୁ ମଧ୍ୟ ପ୍ରସାଦ ସେବନ କରିବା ନିମନ୍ତେ ଅନୁରୋଧ କଲେ । ମାତ୍ର ସେ ଗ୍ରହଣ ନ କରି ସନ୍ଦିଗ୍ଧ ଚିତ୍ତରେ କିଞ୍ଚିତ ହାସ ପ୍ରକାଶ କଲେ । ଶ୍ରୀକର ଭଞ୍ଜ ରାଜା ତତ୍‍କ୍ଷଣାତ୍ ଅନୁସନ୍ଧାନ ଓ ସଙ୍କେତମାନଙ୍କଦ୍ୱାରା ସେ କେବଳ ଜଣେ ସ୍ତ୍ରୀ ଥିବାର ଜାଣି ପାରିଲେ । ଏହି ସମ୍ୱାଦ କଲେକ୍ଟର ସାହେବ ମହୋଦୟଙ୍କୁ ଅବଗତ କରାଇ ନିଜେ ରାଜ୍ୟ ଭାର ପୁନଃପ୍ରାପ୍ତ ହେଲେ । ଏହିପରି ରାଜା ଶ୍ରୀକର ଭଞ୍ଜ ୧୮୦୧ ଖ୍ରୀଷ୍ଟାବ୍ଦରେ ସାମ୍ରାଜ୍ୟଦ୍ରୋହୀ ରୂପେ ପରିଗଣିତ ହୋଇ, ୧୮୦୮ ଖ୍ରୀଷ୍ଟାବ୍ଦଠାରୁ କେତେକ ବର୍ଷଯାଏ ସନ୍ନାସୀ ବେଶ ଧାରଣପୂର୍ବକ ଭାରତବର୍ଷସ୍ଥିତ ସମଗ୍ର ପବିତ୍ର ତୀର୍ଥ ସ୍ଥାନମାନ ପରିଭୟମଣ କରି ଏବଂ ୧୮୧୫ ଖ୍ରୀଷ୍ଟାବ୍ଦଠାରୁ କରାରୁଦ୍ଧ ହୋଇ ପରିଶେଷରେ ଦ୍ୱିତୀୟ ବାର ଗୁମସର ରାଜ୍ୟର ଭାର ଗ୍ରହଣ କଲେ ।

•••

 

ସପ୍ତମ ଅଧ୍ୟାୟ

(୧୮୧୯-୧୮୩୨)

 

ଶ୍ରୀକର ଭଞ୍ଜ ପୁନର୍ବାର ରାଜପଦରେ ଅଭିଷିକ୍ତ ହୋଇ ସୁଦ୍ଧା ପର୍ବବତ୍‍ ସନ୍ୟାସ ଧର୍ମାବଲମ୍ୱନ କରିଥିଲେ । ୧୮୧୯ ଖ୍ରୀଷ୍ଟାବ୍ଦ ମେ ମାସ ୩ ତାରିଖ ଦିନ ସେ ବିଧିମତେ ଗୁମସର ରାଜ୍ୟରେ ଅଧିଷ୍ଠିତ ହେଲେ, ସେହି ଦିବସାବଧି ସେ ମହାତ୍ମା ଚତୁର୍ଦ୍ଦଶ ବର୍ଷ ପର୍ଯ୍ୟନ୍ତ ଉତ୍ତମରୂପେ ରାଜ୍ୟ ପରିପାଳନ କରି ନିୟମିତରୂପେ ବାର୍ଷିକ କର ୭୫୦୦୦ଟଙ୍କା ସର୍କାର ବାହାଦୁରଙ୍କୁ ପ୍ରଦାନ କରୁଥିଲେ । ରାଜସ୍ୱରୁ ୮୦୦୦ ଟଙ୍କା ମଧ୍ୟ ଚେଙ୍ଗଲପଟ୍‍ଠାରେ ଧନଞ୍ଜୟ ଭଞ୍ଜଙ୍କୁ ଦିଆ ଯାଉଥିଲା-। ରାଜା ଶ୍ରୀକର ଭଞ୍ଜ ତାହାଙ୍କର ଏହି ରାଜ୍ୟ ଶାସନ ସମୟରେ ସ୍ୱରାଜ୍ୟ ମଧ୍ୟରେ ଅନେକ ବ୍ରାହ୍ମଣଶାସନ, ଦେବମନ୍ଦିର, ମଠ, ଆଶ୍ରମ, ଉଦ୍ୟାନ, କୂପ, ବାମ୍ଫୀ, ପୁଷ୍କରିଣୀ ପ୍ରତିଷ୍ଠା କରିଥିଲେ । ଏହା ଛଡ଼ା ଆହୁରି ଅନେକ ଲୋକହିତକର କାର୍ଯ୍ୟମାନ ସମ୍ପାଦନ କରିଥିଲେ । ତାହାଙ୍କର ଦେବତା, ବୈଷ୍ଣବ, ବ୍ରାହ୍ମଣମାନଙ୍କ ପ୍ରତି ପ୍ରଗାଢ଼ ଭକ୍ତି ଥିଲା । ରାଜ୍ୟର ପ୍ରଜାବର୍ଗଙ୍କୁ ସୁଦ୍ଧା ସେ ଅତିଶୟ ପ୍ରେମଚକ୍ଷୁରେ ଦେଖୁଥିଲେ । ସମସ୍ତ ଦୀନ, ଅସହାୟ ବ୍ୟକ୍ତି ରାଜାଙ୍କଠାରୁ ଉପଯୁକ୍ତ ସାହାଯ୍ୟ ପାଉଥିଲେ । ଶ୍ରୀକର ଭଞ୍ଜ ରାଜାଙ୍କର ଏହି ଦ୍ୱିତୀବାର ରାଜ୍ୟପରିପାଳନ ସମୟର ପ୍ରଧାନ ପ୍ରଧାନ ଘଟନାମାନ ଜଣେ ଦେଶୀୟ ବ୍ୟକ୍ତିରଚିତ ନିମ୍ନଲିଖିତ ପଂକ୍ତଗୁଡ଼ିକରୁ ସ୍ପଷ୍ଟ ବୁଝାଯିବ ।

 

‘‘ଶ୍ରୀକରପୁର ନାମେ ଗୋଟିଏ ଶାସନ ।

ବସାଇଲେ ଗଡ଼ ପାଖରେ ରାଜନ ।।

ବିଷ୍ଣୁଚକ୍ରଠାରେ ପ୍ରାସାଦ ଉଭା କଲେ ।

ତହିଁରେ ଶ୍ରୀ ନାରାୟଣ ମୂର୍ତ୍ତି ବସାଇଲେ ।।

ତାହାପାଖେ ଏକ ପୁଷ୍କରିଣୀ କଲେ ।

ଆମ୍ୱ ପଣସ ଆଦି ବୃକ୍ଷ ଲଗାଇଲେ ।।

ବାଲିପଦରରେ ଏକ ମନ୍ଦିର ସଜାଡ଼ିଲେ ।

ତହିଁରେ ଶ୍ରୀ ଜଗନ୍ନାଥଙ୍କୁ ବସାଇଲେ ।।

ନିଜ ବୁଗୁଡ଼ାରେ ପାଷାଣ ପ୍ରାସାଦ ।

ଗୋଟିଏ କରାଇଲେ ନୃପ ହୋଇ ମୋଦ ।।

ତହିଁରେ ବଳଭଦ୍ର ସୁଭଦ୍ରା ଜଗନ୍ନାଥ ।

ବସାଇଲେ ଶ୍ରୀକର ଭଞ୍ଜ ନରନାଥ ।।

ପୂର୍ବଦିଗରେ ଏକ ମନ୍ଦିର ତୟାର ।

ବିଚାର କରାଇଥିଲେ ନରବର ।।

ସେ ମଣ୍ଡପରେ ତମ୍ୱା ଛାଉଣି କରାଇଲେ ।

ପେଣ୍ଡା ପେଣ୍ଡା ମୁକୁତା ତହିଁରେ ଲମ୍ୱାଇଲେ ।।

ଚିତ୍ରପିତୁଳା ଲୀଳାମାନଙ୍କୁ ଲେଖାଇଲେ ।

ବିଶ୍ୱକର୍ମା ନିର୍ମିତ ପରି ସେ ଦିଶିଲେ ।।

ସେ ମଣ୍ଡପ ସମୀପେ ବାମ୍ଫିଟିଏ କଲେ ।

ତହିଁରେ ଇଟା ଚାରି ରକ୍ଷ ବନ୍ଧାଇଲେ ।।

ବେଢ଼ା ଚାରିପାଖ ନାନାଜାତି ବୃକ୍ଷ ।

ରୋପିବାରୁ ନନ୍ଦନ ବନ କି ପ୍ରତ୍ୟେକ୍ଷ ।।

ଜାଇ ଜୁଇ ମଲ୍ଲୀ କୁନ୍ଦ କନିଅର ।

ପଦ୍ମ ଗୋଲାପ ଲାଲ ଗୋଲାପ ମନ୍ଦାର ।।

କଣ୍ଟା ସେବତୀ ଶୁକସେବତୀ ନାଗେଶ୍ୱର ।

ଚମ୍ପା କନକଚମ୍ପା ସମ୍ପାଦି ଆଦିର ।।

ବକୁଳ ସ୍ଥଳପଦ୍ମ ଦୟଣା କୁରୁବଲ୍ଲି ।

ଟଗର ତରାଟ କଞ୍ଚଣ ବଜ୍ରମଲ୍ଲୀ ।।

ଜମ୍ୱ ଜମ୍ୱିଲ ଟଭା କରୁଣା ମାତୁଳଙ୍ଗ ।

କମଳା ନାରିକେଳ କ୍ରମୁକ ନାରଙ୍ଗ ।।

ଏପରି ପୁଷ୍ପ ଫଳ ବୃକ୍ଷରେ ଶୋଭନ ।

ଦେଖିଲା ଜନ ମନ କରଇ ଉଚ୍ଛନ୍ନ ।।

ସେହି ସମୟରେ ଏହି ଗୁମସର ।

ପାଲିପଡ଼ା ମୁଠା ମାଳତୀ ପର୍ବତର* ।।

ପାଷାଣରେ ନିର୍ମିତ ହେବାରୁ ଦେବତା ।

ବାହାରିଲେ ସେ ଅଟନ୍ତି ସବିତା ।।

ତାଙ୍କୁ ଆଣି ତମ୍ୱାଛୁଆ ମଣ୍ଡପରେ ।

ରଖାଇଲେ ନୃପ ଅତ୍ୟନ୍ତ ସ୍ନେହରେ ।।

ତାଙ୍କ ଭୋଗ ନିମନ୍ତେ ଆଦିପୁର ଗ୍ରାମ ।

ଲେଖିଦେଲେ ଶ୍ରୀକର ଭଞ୍ଜ ନରୋତ୍ତମ ।।

ଅନେକ ଦେଶ ନପ ଶିଷ୍ଟାଶିଷ୍ଟ-ନର ।

ଲକ୍ଷେ ଟଙ୍କା ଲଗାଇ ପ୍ରତିଷ୍ଠା ସମ୍ଭାର ।।

କଲେ ଲୋଡ଼ି କରି ଶ୍ରୀକର ଭଞ୍ଜ ନୃପ ।

ଏପରି ଖୋଜିଲେ ନ କଲେ କେହି ନୃପ ।।

ସେ ଗ୍ରାମର ପଛକୁ ପୁଷ୍କରିଣୀ ।

ଖୋଳାଇଲେ ଅତିଶୀଘ୍ର ନୃପମଣି ।।

ତମ୍ୱାଛୁଆ ମଣ୍ଡପ ଦକ୍ଷିଣ ବଖରାରେ ।

ରାମ ଲକ୍ଷ୍ମଣ ସୀତା ବସାଇଲେ ଖରେ ।।

ଜଗନ୍ନାଥପ୍ରସାଦ ବସ୍ତିରେ ରଘୁନାଥ ।

ସୀତା ଲକ୍ଷ୍ମଣଙ୍କ ହୋଇଣ ସହିତ ।।

ସାନ ଚେଲା ଗୋବିନ୍ଦ ଦାସଙ୍କୁ ଶୀଘ୍ରରେ ।

ମହନ୍ତଶାଢ଼ୀ ଦେଇ ରଖିଲେ ବୁଗୁଡ଼ାରେ ।।

ବିଜେ କରିଥିଲେ ଗୋଟିଏ ମନ୍ଦିରରେ ।

ତାଙ୍କ ନିଯୁକ୍ତ କେହି ନ ଥିଲେ ପାଖରେ ।।

ସେ ମଠକୁ ଗୋବିନ୍ଦ ଦାଶଙ୍କ ଅଧୀନ ।

କରାଇଲେ ବିଚାର କରିଣ ରାଜନ ।।

କରଚୁଲିରେ ତଡ଼ାଗ ଗୋଟିଏ କଲେ ।

ପଥିକଜନମାନେ ତା ଜଳ ପାନ କଲେ ।।

ଜଗନ୍ନାଥପ୍ରସାଦ ଦଧିବାମନଙ୍କ ।

ମନ୍ଦିର ହୋଇ ଯାଇଥିଲା ପାକ ।।

ତାଙ୍କୁ ଯତନ କରି ନୂତନ ମଣ୍ଡପ ।

ତୟାର କରାଇଲେ ଶ୍ରୀକର ଭଞ୍ଜ ନୃପ ।।

ତହିଁରେ ଶ୍ରୀ ଦଧିବାମନଙ୍କୁ ନେଇ ।

ବିଜେ କରାଇଲେ ଅଧିକ ଖଞ୍ଜା ଦେଇ ।।

କୁଲାଡ଼ରେ ରତନେଶ୍ୱରଙ୍କ ମନ୍ଦିର ।

ତୟାର କରାଇଲେ ଭଞ୍ଜ ବୀରବର ।।

ଆଉ ଅନେକଠାରେ ତଡ଼ାଗ ବାମ୍ଫି କଲେ ।

ଜୀର୍ଣ୍ଣ ହେବା ପ୍ରାସାଦ ମନ୍ଦିର ସଜାଡ଼ିଲେ ।।

ରସାଳ ନାରିକେଳ ଖର୍ଜୁର ତାଳ ବନ ।

କରାଇଲେ ପୃଥ୍ୱୀ ହୋଇଲା ବିପିନ ।।

କୂପ ବାମ୍ଫି ତୋଟା ମନ୍ଦିର ପ୍ରାସାଦ ।

ବାରମୁଠା ନହର ଆଦି ଯେତେ ପଦ ।।

ପ୍ରତିଷ୍ଠା ଖରଚରେ ଯାହା ଲାଗିଲା ।

ପଞ୍ଚିଶି ଲକ୍ଷ ଟଙ୍କା ପାଞ୍ଜିରେ ଲେଖା ହେଲା ।।

ଏ ବାହାରେ ନବଦୁର୍ଗ ମାନଧାତାଙ୍କ ।

ସଙ୍ଗେ ବିରୋଧ ହେଲେ ନୃପତିତିଳକ ।।

ଗୃହ ଧନଞ୍ଜୟ ଭଞ୍ଜ ତ ଗଡ଼ ବେନି ।

ଲେଖି ଦେଇଥିଲେ କାହାକୁ ନ ମାନି ।।

ସେ ବେନି ଗଡ଼ ଛଡ଼ାଇବାରେ ଉଦ୍ୟମ ।

କଲେ ଅତି କ୍ରୋଧରେ ନୃପଙ୍କ ଉତ୍ତମ ।।

କମସର ଅଳସୁ ବେନି ଗଡ଼ ମାଡ଼ି ।

ପଡ଼ିଲେ ଲସ୍କର ତିଳେ ହେଁ ନ ଛାଡ଼ି ।।

ତିନି ଦିନ ସରିକି ଗଡ଼ରେ ଥିବା ଲୋକ ।

ଧର୍ମ ବାଟ ମାଗିଲେ ପକାଇଣ ଡାକ ।।

ଏ ଖବରଯାକ କରନ୍ତେ ଗୋଚର ।

ନୃପତି ସେ କଥାକୁ କଲେ ଅଙ୍ଗୀକାର ।।

ଅଳସୁ କମସର ଗଡ଼ରେ ଆପଣାର ।

ଲୋକ ରଖାଇ ବାହୁଡ଼ିଲେ ନରବର ।।’’

 

*

ଏହି ପର୍ବତ ରସୋଲକୋଣ୍ଡା- ଆସିକା ସଡ଼କ ପାର୍ଶ୍ୱରେ ପୂର୍ବସ୍ଥାନରୁ ୧୫ ମାଇଲ ଦୂରସ୍ଥିତ କେଶରୀପଲ୍ଲୀ ନାମକ ଗ୍ରାମର ନିକଟବର୍ତ୍ତୀ ଅଟେ । ସ୍ଥଳଟିର ପ୍ରାକୃତିକ ଦୃଶ୍ୟ ଅତି ମନୋହର । ସୁବାସପୂର୍ଣ୍ଣ ମାଳତୀ ପୁଷ୍ପ ବୃକ୍ଷମାନ ସେଠାରେ ଅନେକ ଦେଖାଯାଏ । ଅତି ପୁରାତନ କାଳରେ କେଶରୀବଂଶୀୟ ଜଣେ ରାଜା ଉକ୍ତ ପ୍ରଦେଶରେ ବାସ କରୁଥିବାର କଥିତ ଅଛି । ତାହାଙ୍କର ବାସସ୍ଥାନ ମାଳତୀଗଡ଼ ନାମରେ ଅଭିହିତ ଥିଲା । ସନ୍ନିକଟସ୍ଥ ପାହାଡ଼ର ଏକ ଶୃଙ୍ଗରେ ଗୋଟିଏ ବୃହଦାକାର ପାଷାଣ ଦେଖାଯାଏ । କଥିତ ଅଛି, ଏହା ଗୋଟିଏ ବୃହତ୍ ଦ୍ୱୀପସ୍ୱରୂପରେ ବ୍ୟବହୃତ ହୋଇ ଚତୁର୍ଦିଗ ଆଲୋକିତ କରୁଥିଲା । ରାଜା ଏକ ସମୟରେ ଯୁଦ୍ଧ ନିମନ୍ତେ ଗମନ କରି ତାହାଙ୍କର ବହୁସଂଖ୍ୟକ ମହଷୀଗଣଙ୍କୁ ଆଦେଶ ଦେଇଥିଲେ ଯେ ଯଦି ଉକ୍ତ ଦ୍ୱୀପ ପ୍ରସ୍ତରଟି କାଳେ ଲେଉଟି ଯାଏ ତେବେ ଜାଣିବାକୁ ହେବ ଯେ ସେ ଯୁଦ୍ଧରେ ନଷ୍ଟ ହେଲେ । ସେହିପରି ଦ୍ୱୀପ ପ୍ରସ୍ତରଟି ଲେଉଟି ଗଲା । ସମସ୍ତ ମହିଷୀଗଣ ଗଭୀର ଶୋକଗ୍ରସ୍ତ ହୋଇ, ଜୀବନ ବୃଥା ମଣି ପତିଙ୍କର ପୂର୍ବ ଆଦେଶକ୍ରମେ ସମସ୍ତ ଧନରତ୍ନାଦି ଘେନି ଗୋଟିଏ ବୃହତ୍‍ ବାମ୍ଫି ବା ପୁଷ୍କରିଣୀରେ ପ୍ରବେଶ କରି ପ୍ରାଣ ବିସର୍ଜନ କଲେ । କ୍ରମଶଃ ସମସ୍ତ ଦୁର୍ଗ ଧ୍ୱଂସପ୍ରାପ୍ତ ହେଲା । ଆଜିକାଲି ମାଳତୀ ନାମରେ ଯେଉଁ ପଲ୍ଲୀ ଅଛି, ତାହା କେବଳ କେତେକ ବୋଡ଼ା କନ୍ଧଙ୍କର ବାସଗୃହପୁଞ୍ଜ ମାତ୍ର । ନାନା ସମୟରେ ପୁରାତନ ଦୁର୍ଗର ଭଗ୍ନାବଶେଷ ମଧ୍ୟରୁ ଦେବଦେବୀଙ୍କ ପ୍ରତିମା, ସ୍ୱର୍ଣ୍ଣ, ରୌପ୍ୟ, ରତ୍ନାଦି ବହୁମୂଲ୍ୟ ପଦାର୍ଥମାନ ମିଳିଥିବାର ଜଣା ଯାଏ । ଦିନେ କେତେ ଜଣ ଗୋପାଳ ଶିଶୁ ଆମୋଦପ୍ରମୋଦ କ୍ରୀଡ଼ା ଉଦ୍ଦେଶ୍ୟରେ ଉକ୍ତ ସ୍ଥାନରେ ଏକ ଗର୍ଭ ଖନନ କରୁ କରୁ ବିରଞ୍ଚିନାରାୟଣଙ୍କ ପ୍ରତିମୂର୍ତ୍ତିର ସଙ୍କେତ ପାଇଥିଲେ ।

 

ସେ ୧୮୩୧ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ନିୟମିତରୁପେ ରାଜ୍ୟର ନିର୍ଦ୍ଧାରିତ କର ପ୍ରଦାନ କଲେ-। ଏହା ପରେ ବିଶେଷ କାରଣରୁ ସର୍କାର ବାହାଦୁରଙ୍କର ପ୍ରାୟ ୮୦୦୦୦ ଟଙ୍କା ବାକି ରହିଲା । ଏଥିଯୋଗୁଁ ଏବଂ ବୃଦ୍ଧାବସ୍ଥା ପହୁଞ୍ଚିବାର ଦେଖି ନିଜେ କାର୍ଯ୍ୟକ୍ଷେତ୍ରରୁ ବିଦାୟ ଗ୍ରହଣ କରି ପୁତ୍ର ଧନଞ୍ଜୟ ଭଞ୍ଜଙ୍କୁ ରାଜ୍ୟର ଭାର ଅର୍ପଣ କରିବା ଇଚ୍ଛା କଲେକ୍ଟର ସାହେବଙ୍କୁ ଜଣାଇଲେ । ତାହାଙ୍କ ପ୍ରାର୍ଥନାନୁସାରେ ଧନଞ୍ଜୟ ଭଞ୍ଜ କାରାବାସରୁ ଆନୀତ ହେଲେ । ଶ୍ରୀକର ଭଞ୍ଜ ନିଜ ପୁତ୍ରଙ୍କୁ ରାଜ୍ୟର ଭାର ଅର୍ପଣ କରି ୧୮୩୨ ଖ୍ରୀଷ୍ଟାବ୍ଦରେ ଶ୍ରୀକ୍ଷେତ୍ରରେ ଯାଇ ବାସ କଲେ । ତାହାଙ୍କୁ ବାର୍ଷିକ ୮୦୦୦ଟଙ୍କା ସେଠାରେ ପ୍ରଦାନ କରା ଯାଉଥିଲା । ପିତାଙ୍କ ସମୟର ବାକୀ ଧନ ପରିଶୋଧ କରିବାକୁ ଅଙ୍ଗୀକୃତ ହୋଇ ଧନଞ୍ଜୟ ଭଞ୍ଜ ଦ୍ୱିତୀୟ ଥର ରାଜପଦରେ ଅଭିଷିକ୍ତ ହେଲେ ।

•••

 

ଅଷ୍ଟମ ଅଧ୍ୟାୟ

(୧୮୩୨-୧୮୩୬)

ସୋରଡ଼ା ପ୍ରଦେଶର ରାଜା ୧୮୩୦ ଖ୍ରୀଷ୍ଟାବ୍ଦରେ ସନ୍ତାନହୀନ ହୋଇ ପ୍ରାଣତ୍ୟାଗ କରିଥିବାରୁ ଏବଂ ତାହାଙ୍କର ମରଣ କାଳରେ ସର୍କାରୀ ରାଜସ୍ୱ ବାକି ଥିବାରୁ ଉକ୍ତ ରାଜ୍ୟ ନିଲାମ କରାଗଲା । ରାଜା ଧନଞ୍ଜୟ ଭଞ୍ଜ ୧୮୩୩ ଖ୍ରୀଷ୍ଟାବ୍ଦ ଡିସେମ୍ବର ମାସ ୯ ତାରିଖରେ ଏହି ନିଲାମରେ ଉକ୍ତ ରାଜ୍ୟ ୮୦୦୦ ଟଙ୍କା ମୂଲ୍ୟ ଦେଇ କ୍ରୟ କରିଥିଲେ । କିଛିକାଳ ଅତିବାହିତ ହେଲା, ରାଜା ଧନଞ୍ଜୟ ଭଞ୍ଜ ଇଂରେଜଙ୍କ ହସ୍ତରୁ ପାଇଥିବା ପୂର୍ବ ଦଣ୍ଡମାନ ମନେ ମନେ ଗୁଣି ନିଜର ଖଳସୁଲଭ ସ୍ୱଭାବର ବଶବର୍ତ୍ତୀ ହୋଇ ଅଙ୍ଗୀକୃତ କରର ଏକ ଟଙ୍କା ସୁଦ୍ଧା ପ୍ରଦାନ କଲେ ନାହିଁ । କଥିତ ଅଛି ରୌପ୍ୟ ମୁଦ୍ରା ବଦଳରେ ସେ ଚକ୍ରାକାର ଖପରା କେତେଗୁଡ଼ିଏ ପ୍ରସ୍ତୁତ କରାଇ ପ୍ରେରଣା କରିଥିଲେ । କିନ୍ତୁ ଏହା କେତେଦୂର ପର୍ଯ୍ୟନ୍ତ ଯଥାର୍ଥ, କୁହା ଯାଇ ନ ପାରେ । ଅଙ୍ଗୀକାରାନୁଯାୟୀ କାର୍ଯ୍ୟ କରିବାକୁ ବାକି ରାଜସ୍ୱ ଏକ ମାସ ସମୟ ମଧ୍ୟରେ ପ୍ରଦତ୍ତ ନ ହେଲେ ରାଜାଙ୍କୁ ରାଜ୍ୟରୁ ଅନ୍ତର କରାଯିବ ବୋଲି ତତ୍କାଳୀନ କଲେକ୍ଟର ଷ୍ଟିଫେନସନ ସାହେବ ମହୋଦୟ ୧୮୩୫ ଖ୍ରୀଷ୍ଟାବ୍ଦରେ ଘୋଷଣା କଲେ । କିନ୍ତୁ ରାଜା ଧନଞ୍ଜୟ ଭଞ୍ଜ କୌଣସିପ୍ରକାରେ ଶଙ୍କିତ ନ ହୋଇ ସ୍ୱାଭିମାନରେ ନିଜର କୁଲାଡ଼ଦୁର୍ଗରେ ଦୃଢ଼ଚିତ୍ତରେ ଯାଇ ବାସ କରିବାକୁ ଲାଗିଲେ । ଅନ୍ୟୋପାୟ ନ ଦେଖି କର୍ତ୍ତୃପକ୍ଷ ଯୁଦ୍ଧଦ୍ୱାରା ରାଜାଙ୍କୁ ଆୟତ୍ତ କରିବା ନିମନ୍ତେ ସ୍ଥିର କଲେ । ଆସିକାଠାରୁ ଯାତ୍ରା କରି ସୈନିକଗଣ ନବେମ୍ବର ମାସରେ ଗୁମସରରେ ଉପସ୍ଥିତ ହେଲେ । ଉକ୍ତ ମାସ ୯ ତାରିଖରେ କୁଲାଡ଼ଦୁର୍ଗ ଆକ୍ରମଣ କଲେ । ରାଜା ସେଠାରୁ ପଳାୟନ କରି ମାଳପ୍ରଦେଶ ଆଡ଼େ ଯାତ୍ରା କଲେ । ଇଂରେଜ ସୈନିକଗଣ ଗାଲିରି ପର୍ଯ୍ୟନ୍ତ ଯାଇ ଅଧିକ ଦୂରଂ ଅଗ୍ରସର ହୋଇ ପାରିବେ ନାହିଁ । କାରଣ ରାଜାଙ୍କ ଅନୁଚରଗଣ ନାନାବିଧ ବିଘ୍ନ ଜନ୍ମାଇବାକୁ ଲାଗିଲେ । କିଛି କାଳଯାଏ ଯୁଦ୍ଧ ଲାଗିଲା । ୧୮୩୫ ଖ୍ରୀଷ୍ଟାବ୍ଦ ଶେଷରେ ରାଜା ଧନଞ୍ଜୟ ଭଞ୍ଜ ମାଳପ୍ରଦେଶରେ ମାନବଲୀଳା ସମ୍ବରଣ କଲେ । ତାହାଙ୍କ ମୃତ୍ୟୁ ପରେ ସେ ସଙ୍ଗରେ ଘେନି ଯାଇଥିବା ସମସ୍ତ ଧନ ଅନୁଚରଣଙ୍କଦ୍ୱାରା ଅପହୃତ ହେଲା ଏବଂ ଏହା ସାହାଯ୍ୟରେ ସେମାନେ ଆହୁରି ଅନେକ କାଳଯାଏ ରାଜ୍ୟରେ ମେଳି କରି ପାରିଥିଲେ ।

କଲେକ୍ଟର ସାହେବ ମହୋଦୟ ଗବର୍ଣ୍ଣମେଣ୍ଟଙ୍କୁ ଜଣାଇଲେ ଯେ ଗୁମସରର ରାଜ୍ୟ ସମ୍ପୂର୍ଣ୍ଣରୂପେ ନିଷ୍କଣ୍ଟକ ଓ ଆୟତ୍ତ କରିବାକୁ ହେଲେ ଜଣେ ପୃଥକ୍ ପରାକ୍ରମଶାଳୀ ପ୍ରତିନିଧି ତନ୍ନିମିତ୍ତ କିଛି କାଳଯାଏ ନିଯୁକ୍ତ କରିବାକୁ ହେବ । ସେପର୍ଯ୍ୟନ୍ତ ଗୁମସର ରାଜ୍ୟ କରଗତ କରିବାରେ ଗବର୍ଣ୍ଣମେଣ୍ଟ ପରାସ୍ତ ହୋଇଥିଲେ, ଏଣୁ ଉଚିତ ସମୟ ଦେଖି ମହାତ୍ମା ରସେଲ ସାହେବଙ୍କୁ ପ୍ରସ୍ତାବିତ ପ୍ରତିନିଧି ପଦରେ ନିଯୁକ୍ତ କଲେ । ୧୮୩୬ ଖ୍ରୀଷ୍ଟବ୍ଦର ଆରମ୍ଭରେ ସେ ମହାପୁରୁଷ ଗୁମସରରେ ଉପସ୍ଥିତ ହୋଇ ସେନାଧ୍ୟକ୍ଷ ଟେଲରଙ୍କ ସହିତ ଯୋଗ ଦେଲେ । ଅସଂଖ୍ୟ ଓ ନାନାବିଧ ସୈନିକବୃନ୍ଦ ରୁଣ୍ଡ ହେଲେ । ଅପର ପକ୍ଷେ ପରଲୋକଗତ ରାଜା ଧନଞ୍ଜୟ ଭଞ୍ଜଙ୍କ ସହଚର ବୃନ୍ଦାବନ ଭଞ୍ଜ, ଜଗନ୍ନାଥ ଭଞ୍ଜ, ଦୋରା ବିଷୟୀ ପ୍ରଭୃତି କେତେକ ବ୍ୟକ୍ତି ନିଜର ସମରସଜ୍ଜା କଲେ । ଇଂରେଜ ସୈନିକଗଣ କୁଲାଡ଼, ଗାଲିରି, ଦୁର୍ଗାପ୍ରସାଦସ୍ଥିତ ଦୁର୍ଗମାନ ଆକ୍ରମଣ କରି ରାଜ୍ୟର ପ୍ରତ୍ୟେକ ଦିଗରେ ଦଳ ଦଳ ହୋଇ ଧାବମାନ ହେଲେ । ପରିଶେଷରେ ରାଜଦ୍ରୋହୀ ଦଳ ସର୍ବତୋଭାବରେ ପରାସ୍ତ ହୋଇ ଦଶପଲ୍ଲା ଓ ନୂଆଗଡ଼ ରାଜ୍ୟ ପାର୍ଶ୍ୱସ୍ଥ ସଦୂର ଗିରିଶ୍ରେଶୀ ମଧ୍ୟରେ ଆଶ୍ରୟ ନେଲେ । ୧୮୩୬ ଖ୍ରୀଷ୍ଟାବ୍ଦ ଫେବ୍ରୁଆରୀ ମାସ ୧୫ ତାରଖରେ କାପ୍ତାନ ବଟଲର ନିଜ ଅଧୀନସ୍ଥ ସୈନିକଗଣଙ୍କୁ ଘେନି ଘାଟି ପାର ହୋଇ ରାଜାଙ୍କ ପରିବାରବର୍ଗ ଉଦୟଗିରିରେ ବାସ କରୁଥିବାର ଜାଣି ପାରି ମାଳପ୍ରଦେଶରେ ପ୍ରବିଷ୍ଟ ହେଲେ । ରାଜପରିବାରବର୍ଗଙ୍କୁ କରଗତ କରିବା ଓ ରାଜା ଛାଡ଼ି ଯାଇଥିବା ସମ୍ପତ୍ତି ପାଇବା ତାହାଙ୍କର ପ୍ରଧାନ ଉଦ୍ଦେଶ୍ୟ ଥିଲା । ଘାଟି ଆରୋହଣ କରିବାରେ ସେମାନଙ୍କୁ ପ୍ରଥମେ ମାଳକନ୍ଦମାନଙ୍କଠାରୁ ବହୁ କଷ୍ଟ ସହ୍ୟ କରିବାକୁ ପଡ଼ିଥିଲା । କିନ୍ତୁ ପରିଶେଷରେ ସେମାନଙ୍କ ସହିତ ବନ୍ଧୁଭାବ ସ୍ଥାପନ କରି ପାରିଥିଲେ । ରାଜଦ୍ରୋହୀ ଦଳ ଏପରି ପରାଜିତ ହୋଇ ଦଶପଲ୍ଲା ଓ ନୂଆଗଡ଼ ରାଜ୍ୟ ମଧ୍ୟରେ ଆଶ୍ରୟ ଗ୍ରହଣ କରିଥିବାରୁ ତତ୍ରତ୍ୟ ରାଜାଦ୍ୱୟ ଇଂରେଜମାନଙ୍କ ଆଦେଶାନୁକ୍ରମେ ସାମାନଙ୍କୁ ଧରି ଆଣି ସମର୍ପଣ କରିବାକୁ ବାଧ୍ୟ ହୋଇ ଥିଲେ । ବର୍ଷା ଋତୁ ଉପସ୍ଥିତ ହୋଇଥିବାରୁ କର୍ତ୍ତୃପକ୍ଷ ଯୁଦ୍ଧରୁ କ୍ଷାନ୍ତ ହେଲେ ଏବଂ କେତେକ ସୈନିକ ୧୮୩୬ ଖ୍ରୀଷ୍ଟାବ୍ଦ ଜୁନ ମାସରେ ସ୍ୱକେନ୍ଦ୍ରକୁ ଫେରି ଗଲେ । ଦୋରା ବିଷୟୀ ଧୃତ ହୋଇ ନ ଥିବା ଯୋଗୁଁ କେତେକ ଅନୁଚରଗଣଙ୍କୁ ଘେନି ଆହୁରି ଗଣ୍ଡଗୋଳ କରୁଥିଲେ । ବର୍ଷାକାଳ ଅତିବାହିତ ହେବାରୁ କର୍ତ୍ତୃପକ୍ଷ ଯୁଦ୍ଧାରମ୍ଭ କଲେ-

୧୮୩୬ ଖ୍ରୀଷ୍ଟାବ୍ଦ ନବେମ୍ବର ମାସରେ ସେନାପତି ଟେଲେରଙ୍କ ଅଧୀନସ୍ଥ ସୈନିକଗଣ ମାଳପ୍ରଦେଶରେ ନାନା ଦିଗରେ ପ୍ରବେଶ କଲେ । ଏହିଥର ସେମାନେ ସର୍ବ ସ୍ଥାନରେ ସମ୍ପୂର୍ଣ୍ଣ ଜୟଲାଭ କରିଥିଲେ । ବହୁସଂଖ୍ୟକ ରାଜଦ୍ରୋହୀ ଗୁମସର ତ୍ୟାଗ କରି ବୌଦ ରାଜ୍ୟକୁ ପଳାୟନ କଲେ । ତତ୍ରତ୍ୟ ରାଜା ଏହି ସମ୍ବାଦ ଦେବାରୁ ସୈନିକଦଳ ଅବିଳମ୍ବେ ସେହି ସ୍ଥାନକୁ ଯାଇ ସେମାନଙ୍କୁ ଅନାୟାସରେ ଆକ୍ରମଣ କଲେ । ଏହା ପରେ ପ୍ରକୃତରୂପେ ସମସ୍ତ ଗଣ୍ଡଗୋଳ ଶାନ୍ତ ହୋଇଥିଲା । ରାଜଦ୍ରୋହଗଣଙ୍କ ମଧ୍ୟରୁ ଅଧିକାଂଶ ବ୍ୟକ୍ତିଙ୍କୁ ମରଣଦଣ୍ଡ ବିଧାନ କରାଗଲା ଏବଂ ଅବଶିଷ୍ଟ ବ୍ୟକ୍ତି ଆଜୀବନ ଦେଶାନ୍ତରିତ ହେଲେ । ଏହି ସମୟରେ ରସେଲ୍ ସାବେଙ୍କ ହସ୍ତରେ ପ୍ରାୟ ପାଞ୍ଚଶତ ଖଳ ଦେଶବାସୀ ଜୀବନ ହରାଇଥିଲେ । ଏପ୍ରକାର ବିହିତ ଉପାୟ ଅଭଲମ୍ବନଦ୍ୱାରା ରସେଲ୍ ସାହେବ ମହୋଦୟ ସମସ୍ତ ଗୁମସର ରାଜ୍ୟ କରଗତ କଲେ । ଏହି ଦୁଇ ଥର ସଂଗ୍ରାମରେ ତାହାଙ୍କୁ ଯେଉଁମାନେ କୌଣସିପ୍ରକାର ସାହାଯ୍ୟ ପ୍ରଦାନ କରିଥିଲେ, ସେ ସେମାନଙ୍କୁ ନାନାବିଧି ପୁରଷ୍କାର ପ୍ରଦାନ କଲେ । ମାଳପ୍ରଦେଶରେ ନୂତନ ମଳିକମାନେ ସ୍ଥାପିତ ହେଲେ, ଦେଶର ସମସ୍ତ ସର୍ଦାର ଓ ପାଇକମାନଙ୍କ ମଧ୍ୟରେ ନୂତନ ରୀତିରେ ଭୂମି ସେମାନଙ୍କୁ ଆଜୀବନ କଣ୍ଟନ କରାଗଲା । ସେମାନେ ରାଜ୍ୟର କୌଣସି ଏକ ବା ଦୁଇ ଗୋଟି ମୁଠାରେ ରଖା ନ ଯାଇ ସର୍ବତ୍ର ବିତରିତ ହେଲେ । ଦତ୍ତ ଭୂମିର ଅଧିକାର ସେମାନଙ୍କର ସୁସ୍ୱଭାବ ଓ ନିୟମିତ କାର୍ଯ୍ୟ ଉପରେ ନିର୍ଭର କରୁଥିବାର ବନ୍ଦୋବସ୍ତ କରାଗଲା । ଏହିପରି ୬ ଜଣ ସର୍ଦାର, ୬୯ ଜଣ ନାୟକ ଓ ୧୨୪୪ ଜଣ ପାଇକ ନିଯୁକ୍ତ କରାଯାଇ ସେମାନଙ୍କୁ ସାମାନ୍ୟ କରରେ ୫୦,୦୦୦ ଭରଣରୁ ଊର୍ଦ୍ଧ୍ୱ ଆୟତନବିଶିଷ୍ଟ ଜମି ପ୍ରଦତ୍ତ ହେଲା । ଗଞ୍ଜାମର ରାଜାମାନଙ୍କ ମଧ୍ୟରୁ କେବଳ ଆଠଗଡ଼ ରାଜା ଇଂରେଜଙ୍କୁ ସାହାଯ୍ୟ ପ୍ରଦାନ କରିଥିବାରୁ ତାହାଙ୍କ ରାଜ୍ୟର କର ୩୦୦୦ ଟଙ୍କା ନ୍ୟୂନ କରା ଯାଇଥିଲା । ଏହି କାରଣରୁହିଁ ସୁନ୍ଦର ସିଂହ ନାମକ ସୋରଡ଼ା ରାଜପରିବାରସ୍ଥ ଜଣେ ପୁରୁଷଙ୍କୁ ବ୍ରହ୍ମପୁର ନିକଟବର୍ତ୍ତୀ ଲାଞ୍ଜିପଲ୍ଲି ଗ୍ରାମ ପ୍ରଦାନ କରା ଯାଇଥିଲା । ଗୁମସର ରାଜ୍ୟ ସରକାରଙ୍କ ଅଧୀନ ହେଲା ଏବଂ ଦେଶବାସିଗଣ ବହୁକାଳ ପରେ ସୁଖ ଓ ଶାନ୍ତି ଲାଭ କଲେ ।

୧୭୬୮ ଖ୍ରୀଷ୍ଟାବ୍ଦଠାରୁ ବହୁବର୍ଷବ୍ୟାପୀ ନାନାବିଧି ଚେଷ୍ଟାଦ୍ୱାରା ସୁଦ୍ଧା ଇଂରେଜ କର୍ତ୍ତୃପକ୍ଷରଣ ଗୁମସର ରାଜ୍ୟ ଆୟତ୍ତ କରିବାରେ କେବଳ ବିଫଳମନୋରଥ ହୋଇଥିଲେ । ଏଥିଯୋଗୁଁ ସମଗ୍ର ଗଞ୍ଜାମ ଜିଲ୍ଲାରେ ଘୋର ଅଶାନ୍ତ ରାଜତ୍ୱ କରୁଥିଲା । ବର୍ତ୍ତମାନ ମହାତ୍ମା ରସେଲ ସାହେବଙ୍କ ବିଶେଷ ଯତ୍ନ ଯୋଗୁ ସମସ୍ତ ରାଜ୍ୟ ଏକାବେଳକେ ନିଷ୍କଣ୍ଟକ ହୋଇଥିବା କାରଣରୁ ସେ ସ୍ୱଭାବତଃ ଗବର୍ଣ୍ଣମେଣ୍ଟଙ୍କଠାରୁ ବହୁ ଧନ୍ୟବାଦ ପାଇଲେ । ତାହାଙ୍କର ନାମ ଚିରସ୍ମରଣୀୟ କରିବା ନିମନ୍ତେ ଗୁମସର ରାଜ୍ୟରେ ସ୍ଥାନୀୟ ଶାନ୍ତିରକ୍ଷା ଉଦ୍ଦେଶ୍ୟରେ ଏକ ସୈନିକଦଳ ସ୍ଥାପିତି ହେଲା ଏବଂ ନୂତନ ସ୍ଥାନଟି ତାହାଙ୍କ ନାମାନୁସାରେ ‘ରସେଲ୍‌କୋଣ୍ଡା’ ବା ‘ରସେଲ୍ ପର୍ବତ’ ନାମରେ ଅଭିହିତ ହେଲା । ଗ୍ରାମ ମଧ୍ୟରେ ଗୋଟିଏ କ୍ଷୁଦ୍ର ପର୍ବତ ଥିବାଯୋଗୁଁ ତୈଲଙ୍ଗୀ ଭାଷାର ପ୍ରଭାବରୁ ‘କୋଣ୍ଡା’ (ପର୍ବତ) ଶବ୍ଦର ବ୍ୟବହାର ହୋଇ ଯାଇଅଛି । ଆଜିକାଲି ରସେଲକୋଣ୍ଡା ଗୁମସର ରାଜ୍ୟର ପ୍ରଧାନ ରାଜଧାନୀରୂପେ ପରିଣତ ହୋଇଅଛି । ତାହାର ନାମକରଣ ବିଷୟରେ କେହି କେହି ଲେଖକ ନିତାନ୍ତ କାଳ୍ପନିକ ବୃତ୍ତାନ୍ତ ଦେଇଥିଲେ ମଧ୍ୟ ସେ ସମସ୍ତ କେବଳ ଭ୍ରମପୂର୍ଣ୍ଣ ଅଟେ ।

ଏହି ନଗରଟି କ୍ଷୁଦ୍ର ହେଲେହେଁ ସୂନ୍ଦର ଅଟେ । ଏହା କୁଲାଡ଼ ଓ ପୁରୁଣା ଗୁମସର ଦୁର୍ଗଠାରୁ ଦୁଇ ତିନି କ୍ରୋଶ ଦୂରରେ ଅବସ୍ଥିତ । ଏହାର ପାର୍ଶ୍ୱରେ ଲୋହରାଖଣ୍ଡି ନାମକ ଏକ କ୍ଷୁଦ୍ର ନଦୀ ବହି ଯାଉଅଛି । ନଗରର ଅଦୂରରେ ଗୋଟିଏ ବୃହତ୍ ଜଳଭଣ୍ଡାର ବିଦ୍ୟମାନ । ଏହି ଜଳଭଣ୍ଡାରରୁ ଜିଲ୍ଲାର ନାନା ସ୍ଥାନକୁ କୃଷ୍ଠି ନିମନ୍ତେ ଜଳ ଯୋଗଯାଏ । ନିକଟରେ ହିଂସ୍ରଜନ୍ତୁପୂର୍ଣ୍ଣ ବନ ମଧ୍ୟ ରକ୍ଷିତ ହୋଇଅଛି । ଏଥିଯୋଗୁଁ ଓ ସନ୍ନିକଟ ପ୍ରଦେଶମାନଙ୍କରେ ପ୍ରଚୁର ପରିମାଣରେ କାଷ୍ଠାଦି ବନଜାତ ପଦାର୍ଥମାନ ସହଜରେ ମିଳୁଥିବା ଯୋଗୁଁ ତତ୍‌ସମ୍ପର୍କୀୟ ବହୁ ବାଣିଜ୍ୟ ବ୍ୟବସାୟ ଲାଗିଥାଏ । ବାସ୍ତବରେ ସ୍ଥାନଟିର ପ୍ରାକୃତିକ ଦୃଶ୍ୟ ଅତି କମନୀୟ ବୋଲା ଯାଇପାରେ । ଋତୁବିଶେଷରେ ପ୍ରାଦୁର୍ଭାବ ଯୋଗୁଁ ସ୍ଥାନୀୟ ଜଳବାୟୁ ମନ୍ଦ ବୋଲି ବିବେଚିତ ହୁଏ । ନଗରୋପଯୋଗୀ ନାନା କଚେରୀ ଓ ବିଦ୍ୟାଳୟ ଦେଖାଯାଏ । ବାଣିଜ୍ୟ ଉଦ୍ଦେଶ୍ୟରେ ଅନେକ ମୁସଲମାନ ଯାଇ ସେଠାରେ ବାସ କରିଅଛନ୍ତି । ନଗରର ଦୁଇ କ୍ରୋଶ ଦୂରସ୍ଥିତ ବେଲମୁଠା ନାମକ ଗ୍ରାମରେ ପ୍ରତ୍ୟେକ ସୋମବାର ଦିନ ଗୋଟିଏ ବଡ଼ ହାଟ ବସେ । ତନ୍ନିମିତ୍ତ ବହୁଦୂରର ମାଳପ୍ରଦେଶରୁ ନାମାବିଧ ବନ୍ୟ ଓ ମାଳଜାତ ପଦାର୍ଥ ଘେନି କନ୍ଦ ଓ କନ୍ଦୁଣୀମାନେ ରୁଣ୍ଡ ହୋଇଥାନ୍ତି । ଏମାନଙ୍କ ବେଶଭୂଷା, ରୂପ, ଭାଷା, ଆଚାର ଓ ବ୍ୟବହାର ଅତ୍ୟନ୍ତ କୌତୁକାବହ । କନ୍ଦମାନେ ଆପଣାକୁ ‘କୁଇ’ ବୋଲି ପରିଚୟ ନିଅନ୍ତି । ଏମାନଙ୍କ ରୀତି ନୀତି-ପ୍ରକୃତରୂପେ ଜାଣିବାକୁ ହେଲେ ଏମାନଙ୍କୁ ସ୍ୱଦେଶ ଓ ସ୍ୱଗୃହରେ ଯାଇ ଦେଖିବାକୁ ହେବ । କେତେକ ବର୍ଷ ପୂର୍ବେ ସେମାନେ ଯେଉଁପରି ଅସଭ୍ୟାବସ୍ଥାରେ ଥିଲେ, ବର୍ତ୍ତମାନ ସେପରି ନାହାନ୍ତି । କ୍ରମଶଃ ସଭ୍ୟତାର ଆଲୋକ ସୁନ୍ଦୂର କନ୍ଦମାଳ ପ୍ରଦେଶରେ ସୁଦ୍ଧା ପଡ଼ିଅଛି ।

•••

 

ନବମ ଅଧ୍ୟାୟ

(୧୮୩୬-୧୮୭୩)

 

ଗୁମସର ରାଜବଂଶୀୟ ଯେଉଁ ଅବଶିଷ୍ଟ ବ୍ୟକ୍ତିମାନେ ଥିଲେ, ସେମାନଙ୍କୁ ରାଜ୍ୟର ଅନ୍ତର କରାଯାଇ ଉଚିତ ବୃତ୍ତି ପ୍ରଦାନ କରାଗଲା । ଶିଶୁ ବ୍ରଜରାଜ ଭଞ୍ଜ ପିତାଙ୍କର ଅନ୍ତ୍ୟେଷ୍ଟିକ୍ରିୟା ସମାପନ କରି ରାଜ୍ୟରୁ ଅନ୍ତର ହୋଇ Vellore ନଗରରେ ବାସ କରିବାକୁ ଲାଗିଲେ । ତାହାଙ୍କୁ ସେଠାରେ ମାସିକ ୧୦୦୦ ଟଙ୍କା ପ୍ରଦତ୍ତ ହେଲା ।

 

ରାଜ୍ୟର ପୂର୍ବବର୍ଣ୍ଣିତ ଆନ୍ଦୋଳନ ସମୟରେ ରାଜଦ୍ରୋହୀବର୍ଗଙ୍କର ଏପରି ପ୍ରଥା ଥିଲା ଯେ ପ୍ରଥମରେ କୌଣସି ଏକ ଗ୍ରାମରେ ପ୍ରବେଶ କରିବା ମାତ୍ରକେ ତାହା ଦଗ୍ଧ କରୁଥିଲେ ଓ ପରେ ଲୁଣ୍ଠନ ଓ ଗ୍ରାମବାସିମାନଙ୍କୁ ସ୍ଥାନ ତ୍ୟାଗ କରିବା ନିମନ୍ତେ ବଳାତ୍କାର କରୁଥିଲେ । ଏଥିଯୋଗୁଁ ଯୁଦ୍ଧ ଶେଷରେ ପ୍ରାୟ ସମସ୍ତ ରାଜ୍ୟ ନାରଖାର ଓ ଜନଶୂନ୍ୟ ହୋଇଥିଲା । ଦୁଦୈବବଶତଃ ସେହି ବର୍ଷ ଶସ୍ୟର ଅଭାବ ଯୋଗୁଁ ଦେଶ ମଧ୍ୟରେ ଦୁର୍ଭିକ୍ଷ ଉପସ୍ଥିତ ହୋଇଥିଲା । ଏହା ସଙ୍ଗେ ସଙ୍ଗେ ମାରୀଭୟ, ବସନ୍ତରୋଗ ପ୍ରଭୃତିଦ୍ୱାରା ବହୁସଂଖ୍ୟକ ବ୍ୟକ୍ତି ନଷ୍ଟ ହୋଇଥିଲେ । ୧୮୪୦ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ଦେଶର ଅବସ୍ଥା ଏହିପରି ମନ୍ଦ ଥିଲା ।

 

ଇଂରେଜଙ୍କ ସୁଶାସନରେ କ୍ରମଶଃ କାଳ ଅତିବାହିତ ହେଲା । ଆଉ ପୂର୍ବବତ୍ ଗୁମସରା ରାଜ୍ୟରେ ଗଣ୍ଡଗୋଳ ଓ ଅଶାନ୍ତି ସ୍ଥାନ ପାଉ ନ ଥିଲା । ୧୮୫୫-୧୮୫୬ ଖ୍ରୀଷ୍ଟାବ୍ଦରେ ଚକ୍ର ବିଷୟୀ ନାମକ ଏକ ବ୍ୟକ୍ତି କେତେକ କନ୍ଦ ଓ ଦୁର୍ଜନଙ୍କୁ ସଙ୍ଗେ ଘେନି କିଛିକାଳ ପର୍ଯ୍ୟନ୍ତ ସାମାନ୍ୟ ମେଳି କରିଥିଲା । ଏହା ପରେ ୧୮୬୫-୧୮୬୬ ଖ୍ରୀଷ୍ଟାବ୍ଦରେ ଦେଶ ମଧ୍ୟରେ ଘୋର ଅନିର୍ବଚନୀୟ ଦୁର୍ଭିକ୍ଷ ପୁନର୍ବାର ଉପସ୍ଥିତ ହୋଇ ବହୁ କ୍ଷତି ଘଟାଉଥିଲା ।

 

ବ୍ରଜରାଜ ଭଞ୍ଜ ସ୍ୱଜନଙ୍କୁ ଘେନି Vellore ଠାରେ ଶୈଶବାବସ୍ଥାରୁ ବାସ କରୁଥିଲେ । ସେ ସେଠାରେ ପ୍ରାୟ ଚାଳିଶ ବର୍ଷ ଅତିକ୍ରମ କରି ପ୍ରାୟ ୧୮୭୦ ଖ୍ରୀଷ୍ଟାବ୍ଦରେ ସ୍ୱରାଜ୍ୟକୁ ପ୍ରତ୍ୟାଗମନ କରି ବିବାହିତାବସ୍ଥାରେ ସେଠାରେ କାଳଯାପନ କରିବା ନିମନ୍ତେ ଅନୁମତି ପାଇଲେ-। ସେ ଜଣେ ସୁନ୍ଦର, ସୁଶିକ୍ଷିତ, ଶାନ୍ତ ଓ ଧାର୍ମିକ ପୁରୁଷ ଥିଲେ । ତାହାଙ୍କର ରାଜ୍ୟକୁ ପ୍ରତ୍ୟାଗମନ କରିବା ସମ୍ବାଦ ପାଇ ଦେଶବାସିଙ୍କର ଆନନ୍ଦର ସୀମା ନ ଥିଲା । ସକଳ ଶ୍ରେଣୀର ବହୁସଂଖ୍ୟକ ବ୍ୟକ୍ତି ଦଳ ଦଳ ହୋଇ ବହୁକାଳ ପରେ ରାଜକୁମାରଙ୍କୁ ଦର୍ଶନ କରିବା ଇଚ୍ଛାରେ ଦୂରଦେଶରୁ ସୁଦ୍ଧା ଆଗମନ କଲେ । କୁଲାଡ଼ ଦୁର୍ଗରେ ବ୍ରଜରାଜ ଭଞ୍ଜ ବହୁକାଳ ପରେ ସଙ୍ଗିଗଣ ସମତ୍ତିବ୍ୟାହାରରେ ପହୁଞ୍ଚି ବାସ କଲେ । ତାହାଙ୍କର ଶୁଭ ବିବାହୋତ୍ସବ ଉପଲକ୍ଷରେ ନାନାପ୍ରକାର ଅବସ୍ଥାନୁରୂପ ଓ ସମୟୋଚିତ ଆୟୋଜନ ହେଲା । ସେ ଦଶପଲ୍ଲା ଓ ରଣବା ରାଜ୍ୟରୁ ଏକ ଏକ କନ୍ୟା ଆଣି ଦୁହିଙ୍କର ପାଣିଗ୍ରହଣ କଲେ । ଏହି ବିବାହୋତ୍ସବ ଦିବସମାନଙ୍କରେ କୁଲାଡ଼ରେ ସମଗ୍ର ସୁବିସ୍ତୃତ ଗୁମସର ରାଜ୍ୟରୁ ଅସଂଖ୍ୟ ଜନ ସମବେତ ହୋଇଥିଲେ । ବହୁବର୍ଷ ପରେ ସ୍ୱଦେଶର ରାଜକୁମାରଙ୍କ ଶ୍ରୀମୁଖ ଦର୍ଶନ କରିବା ପ୍ରାୟ ସମସ୍ତଙ୍କର ପ୍ରଧାନ ଉଦ୍ଦେଶ୍ୟ ଥିଲା । ଜନତା ଦିନକୁଦିନ ପ୍ରକାଣ୍ଡ ଆକାର ଧାରଣ କରୁଥିଲା । କଥିତ ଅଛି, ଏହି ସମୟରେ କୁଲାଡ଼ ଦୁର୍ଗରେ ଓ ତାହାର ଚତୁଃପାର୍ଶ୍ୱରେ ଦୁଇଲକ୍ଷାଧିକ ନରନାରୀ ସମଗ୍ର ରାଜ୍ୟରୁ ଆସି ରୁଣ୍ଡ ହୋଇଥିଲେ । ଯାତାୟତ ସୁବିଧା କି ପ୍ରକାର କେତେକ ଦିନ ପର୍ଯ୍ୟନ୍ତ ଏକାବେଳକେ ସ୍ଥଗିତ ହୋଇଥିଲା, ତାହା ସହଜରେ ଅନୁମିତ ହୋଇ ପାରେ । ବ୍ରଜରାଜ ଭଞ୍ଜ ସୁଦ୍ଧା ନିଜେ ଏହି ଜନତା ସନ୍ଦର୍ଶନ କରି ଚକିତ ହୋଇଥିଲେ ଏବଂ ଅନେକଙ୍କୁ ସ୍ୱସ୍ଥାନକୁ ଶୀଘ୍ର ଫେରି ଯିବାକୁ ଅନୁରୋଧ କରିଥିଲେ ବୋଲି କଥିତ ଅଛି । କିନ୍ତୁ ଦୁର୍ଦେବବଶତଃ କର୍ତ୍ତୃପକ୍ଷ ଅସଂଖ୍ୟ ପ୍ରଜାବର୍ଗଙ୍କର ଏହିପରି ଅସାଧାରଣ ମେଳ ଦେଖି ପୁନର୍ବାର ରାଜ୍ୟ ମଧ୍ୟରେ ଗଣ୍ଡଗୋଳ ହେବାର ଆଶଙ୍କା କରି ବ୍ରଜରାଜ ଭଞ୍ଜଙ୍କୁ ଅନତିବିଳମ୍ବରେ କୁଲାଡ଼ ଦୁର୍ଗ ତ୍ୟାଗ କରିବାକୁ ଆଦେଶ କଲେ । ସେହିକ୍ଷଣି ବିଷାଦପୂର୍ଣ୍ଣହୃଦୟରେ ସ୍ୱଜନଙ୍କୁ ଘେନି ଯାଇ ସେ ବ୍ରହ୍ମପୁରରେ ବାସ କଲେ । କିଛି ଦିନ ପରିବାରବର୍ଗଙ୍କୁ ସେହିଠାରେ ରଖି ମାନ୍ଦ୍ରାଜ ଯାତ୍ରା କଲେ । ଗବର୍ଣ୍ଣର ସାହେବ ମହୋଦୟଙ୍କୁ ସମସ୍ତ ଦୁଃଖ ଜଣାଇ ସେ ନିଜ ରାଜ୍ୟରେ ବାସ କରିବା ନିମନ୍ତେ ତାହାଙ୍କଠାରୁ ଅନୁମତି ପାଇଥିବାର କଥିତ ଅଛି । ଏହି ସମୟରେ ବ୍ରଜରାଜ ଭଞ୍ଜ ଗୁମସର ରାଜ୍ୟରେ ଭବିଷ୍ୟତରେ କୌଣସି ପ୍ରକାର ଗୋଳମାଳ ପ୍ରତି ନିଜର ସମ୍ପୂର୍ଣ୍ଣ ଦାୟିତ୍ୱ ସ୍ୱୀକାର କରିଥିଲେ । ପ୍ରତ୍ୟାବର୍ତ୍ତନ କାଳରେ ସମୁଦ୍ର ମାର୍ଗରେ ଗୋପାଳପୁରଠାରେ ପହୁଞ୍ଚି ସେ ସେହି ସ୍ଥାନରୁ ସ୍ୱରାଜ୍ୟକୁ ଗମନ କରିବା ନିମନ୍ତେ ମନ ନ ବଳାଇ ଅନୁଚରବର୍ଗଙ୍କ ସହିତ ତୀର୍ଥ ଭ୍ରମଣରେ ପ୍ରବୃତ୍ତ ହେଲେ । କେତେ କେତେ ସ୍ଥାନ ଦର୍ଶନ କରି ପରିଶେଷରେ ପ୍ରୟାଗରେ ଯାଇ ଉପନୀତ ହେଲେ । ସେହି ସ୍ଥାନରେ ରୋଗାକ୍ରାନ୍ତ ହୋଇ ବ୍ରଜରାଜ ଭଞ୍ଜ ୧୮୭୩ ଖ୍ରୀଷ୍ଟାବ୍ଦର ଶେଷଭାଗରେ ଇହଧାମ ତ୍ୟାଗ କରିଥିଲେ । ମହିଷୀଦ୍ୱୟ ବ୍ରହ୍ମପୁରରେ ଏହି ହୃଦୟବିଦାରକ ଦୁଃସମ୍ବାଦ ପାଇ ଶୋକସାଗରରେ ନିମଗ୍ନ ହେଲେ । ଏହି ଦୁର୍ଘଟନା ପରେ ସେମାନେ ସେହି ସ୍ଥାନ ତ୍ୟାଗ କରି ଯାଇ କୁଲାଡ଼ ଦୁର୍ଗରେ କିଛି କାଳ ବାସ କରିବାକୁ ଲାଗିଲେ । କାଟୁନିବାସୀ ଭଞ୍ଜ ବଂଶୀୟ ନନ୍ଦନନ୍ଦନ ଭଞ୍ଜ ନାମକ ଏକ ଶିଶୁ କୁମାରଙ୍କୁ ଆଣି ଦତ୍ତପୁତ୍ର ସ୍ୱରୁପ ଗ୍ରହଣ କଲେ । କିନ୍ତୁ ଦୁର୍ଦେବବଶତଃ ଅଳ୍ପକାଳ ମଧ୍ୟରେ ସେ ସୁଦ୍ଧା କାଳଗ୍ରାସରେ ପତିତ ହେବାରୁ ମହିଷୀଦ୍ୱୟ ଶୋକାକୁଳ ଚିତ୍ତରେ ଦୁର୍ଗ ତ୍ୟାଗ କରି ଯାଇ ରସେଲକୋଣ୍ଡାରେ ବାସ କଲେ । ସେହିଠାରେ ସେମାନଙ୍କୁ ନିୟମିତ ମାସିକ ବୃତ୍ତି ଗବର୍ଣ୍ଣମେଣ୍ଟଙ୍କଦ୍ୱାରା ପ୍ରଦାନ କରାଗଲା ।

 

ବର୍ତ୍ତମାନ ଗୁମସର ରାଜ୍ୟର ଇତିବୃତ୍ତ ଏହିଠାରୁ ଶେଷ ହୋଇଅଛି । ଗୁମସର ରାଜବଂଶ ଲୁପ୍ତ ହୋଇଅଛି । ଗୁମସର ରାଜା ଏବଂ ଗୁମସର ରାଜ୍ୟ ଆଜିକାଲି କେବଳ ଅତୀତର କଥା । ଗୁମସର ଅତ୍ୟନ୍ତ ପୁରାତନ ରାଜ୍ୟ ଥିଲା । ରାଜବଂଶ ଲୁପ୍ତ ହେବା ସମୟରେ ପ୍ରାୟ ଷାଠିଏ ଜଣ ରାଜପୁରୁଷ ଗଣିତ ହୋଇଥିଲେ । ଯେଉଁ ଗୁମସର ରାଜ୍ୟ ପୂର୍ବେ ଦିନେ ଉତ୍କଳଖଣ୍ଡରେ ବହୁ ଭୟ, ଭକ୍ତି ଓ ଗୌରବର ସ୍ଥାନ ଥିଲା ଏବଂ ଯେଉଁ ରାଜପୁରୁଷଙ୍କ ସମ୍ମୁଖରେ ଅନ୍ୟାନ୍ୟ ରାଜାଗଣ ନତମସ୍ତକ ଥିଲେ, ସେହି ରାଜବଂଶ ଆଜି ଆଉ ନାହିଁ । ସ୍ଥାନେ ସ୍ଥାନେ ପୁରାତନ ରାଜ୍ୟସ୍ଥ ଦୁର୍ଗମାନଙ୍କର ବିଷାଦମୟ ଭଗ୍ନାବଶେଷ ମାତ୍ର ଦେଖାଯାଏ । ଯାହା କିଛି ଆଜିଯାଏ ରକ୍ଷିତ ହୋଇଅଛି, ତନ୍ମଧ୍ୟରେ ବିତ୍ତିନ୍ନସ୍ଥାନୀୟ ମନ୍ଦିର ଓ ଉଦ୍ୟାନମାନ ଦେଖାଯାଏ । ଏଗୁଡ଼ିକର ଅବସ୍ଥା ମଧ୍ୟ କାଳକ୍ରମେ ହୀନରୁ ହୀନତର ହେଉଅଛି । ନେଟଙ୍କା ଗ୍ରାମସ୍ଥିତ ଆମୂଳଚୂଳ କାଷ୍ଠନିର୍ମିତ ଶିଳ୍ପଚାତୁର୍ଯ୍ୟପୂର୍ଣ୍ଣ ମନ୍ଦିରଟି ଏଠାରେ ଉଲ୍ଲେଖଯୋଗ୍ୟ । ଏହା ଛଡ଼ା କୁଲାଡ଼ ଦୁର୍ଗ, ବୁଗୁଡ଼ା ପ୍ରଭୃତି ସ୍ଥାନମାନଙ୍କରେ ସୁଦ୍ଧା ଅନେକ ପୁରାତନ ମନ୍ଦିର ବିରାଜମାନ । ପୁରୁଣା ଗୁମସର ଦୁର୍ଗଠାରୁ କୁଲାଡ଼ ପର୍ଯ୍ୟନ୍ତ ବହୁଦୂରବ୍ୟାପୀ ସୁଦୀର୍ଘ ଘନ ଆମ୍ରକାନନର ଦୃଶ୍ୟ ମଧ୍ୟ ଅତି ମନୋହର ।

 

ପୁରାତନ ରାଜବଂଶ ଲୁପ୍ତ ହୋଇ ଯାଇଅଛି ସତ୍ୟ ; କିନ୍ତୁ ବିଶେଷ କାରଣରୁ ତାହା ଅମର ରହିଅଛି ଓ ରହିଥିବ । ମହାକବି ଉପେନ୍ଦ୍ର ଭଞ୍ଜ ବୀରବରଙ୍କ ନାମ କେବେହେଁ ବିସ୍ମୃତ ହୋଇ ପାରିବ କି ? ବୀର କ୍ଷତ୍ରିୟପ୍ରବର ଘନ ଭଞ୍ଜଙ୍କ ଅସୀମ ସାହସ ଓ ପରାକ୍ରମ କେହି ଭୁଲି ପାରିବ କି ? ରାଜର୍ଷି ଶ୍ରୀକର ଭଞ୍ଜଙ୍କ ସୁଧାମୟ ନାମ ସର୍ବଦା ଘୋଷିତ ହେଉ ନ ଥିବ କି ? ବିଧିର କଠୋର ବିଧାନ ଅନିବାର୍ଯ୍ୟ । ବିଷମ ଶାପଗ୍ରସ୍ତ ଏହି ରାଜବଂଶର ପତନ ମାର୍ଗ କ୍ରମଶଃ ପ୍ରସାରିତ ହୋଇ ପରିଶେଷରେ ତାହାର ସର୍ବନାଶ ହେଲା । ଗୁମସର ରାଜଗଣ ନିଜେ ସେମାନଙ୍କର ବିନାଶର କାରଣ ଥିଲେ । ପରିବାର ମଧ୍ୟରେ ପରସ୍ପର କଳହ, ଈର୍ଷା ଓ ଦ୍ୱେଷର ସୀମା ନ ଥିଲା, କୌଣସି କୌଣସି ରାଜାଙ୍କ ଅନୀତି ଓ ଅଧର୍ମ ଯୋଗୁଁ ଦେଶବାସିଙ୍କୁ ବହୁ କଷ୍ଟ ସହ୍ୟ କରିବାକୁ ପଡ଼ିଥିଲା । ପରିଶେଷରେ ନିଜର ଉଦ୍ଧତ ସ୍ୱଭାବ ହେତୁରୁ ସର୍ବବ୍ୟାପୀ ମହାମହିମ ଶକ୍ତିର ସମ୍ପୂର୍ଣ୍ଣ ବିରାଗଭାଜନ ହୋଇଥିଲେ । ଅତଏବ ଧ୍ୱଂସପ୍ରାପ୍ତି ଏହାର ଅବଶ୍ୟମ୍ଭାବୀ ଫଳ ମାତ୍ର ।

 

ବର୍ତ୍ତମାନ ଗୁମସର ପ୍ରଦେଶ ମଧ୍ୟରେ ଆଉ ପୂର୍ବର ଅରାଜକତା ଓ ଅଶାନ୍ତି ଲକ୍ଷିତ ହୁଏ ନାହିଁ । ଇଂରେଜଙ୍କ ସୁଶାସନରେ ପ୍ରଜାପୁଞ୍ଜ ସୁଖରେ କାଳ ଯାପନ କରୁଅଛନ୍ତି । କରୁଣାମୟ ଜଗଦୀଶ୍ୱର କରନ୍ତୁ; ଏହି ପ୍ରକାର ସୁଖ ଓ ଶାନ୍ତିରେ ଚିରକାଳ ଅତିବାହିତ ହେଉ ।

Image